ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ଜାଲ ଗ୍ରାମବାସୀ ସମୂହ ଭୋଟ୍ ବର୍ଜନ, ପଞ୍ଚାୟତ ପୂର୍ଣ୍ଣ ଗଠନ ବେଳେ ଗ୍ରାମବାସୀଙ୍କୁ ଅଣଦେଖା ନେଇ ଅସନ୍ତୁଷ୍ଟ ଓ ମୌଳିକ ସମସ୍ୟାର ସମାଧାନ ନ ହେବାରୁ ଭୋଟ୍ ବର୍ଜନ କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ବାସିନ୍ଦାଙ୍କ କହିବା ହେଲା ପଞ୍ଚାୟତ ଯେତେବେଳେ ବିଭାଜନ ହୋଇ ପୂର୍ଣ୍ଣ ଗଠନ ହେବା ସମୟରେ ଗାଁ ଲୋକଙ୍କ ମତାମତ ସଂଗ୍ରହ ନ କରି ସମସ୍ତ ସରକାରୀ ଗାଇଡ୍ଲାଇନକୁ ଅଣଦେଖା କରି ସରକାରୀ ଅଧିକାରୀମାନେ ନିଜ ମନ ମୁତାବକ ଜାଲ ଗ୍ରାମକୁ ଲୋଭା ପଞ୍ଚାୟତରୁ ବାହାର କରି ଏଙ୍ଗାରସିଂ ପଞ୍ଚାୟତରେ ସାମିଲ କଲେ ଯାହାକୁ ନେଇ ବହୁ ପୂର୍ବରୁ ବିବାଦ ଲାଗି ରହିଥିଲା। ଅନେକ ବାର ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ ଗାଁ ଲୋକଙ୍କ ଗୁହାରି ଶୁଣି ନ ଥିବା ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ଜାଲ ଗ୍ରାମବାସୀ ସମୂହ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।