ବାରିପଦା ଅଫିସ, ୨।୧୦: ଯିବା ଆସିବା ଲାଗି ରାସ୍ତା ଛାଡ଼ିବାକୁ ଲୋକେ ଅନୁରୋଧ କରିଥିଲେ। ହେଲେ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଲୋକଙ୍କ ରୋଷର ଶିକାର ହୋଇଛନ୍ତି ମହିଳା ଶିଶୁ ବିକାଶ ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ। ମୟୂରଭଞ୍ଜ ଜିଲା କରଞ୍ଜିଆ ଏନ୍ଏସି ୧୪ ନଂ. ଓ୍ବାର୍ଡ ଅଙ୍କୁରା ମୌଜାରେ ମନ୍ତ୍ରୀଙ୍କ ଘର ଚତୁଃପାର୍ଶ୍ୱରେ ନିର୍ମାଣ ହେଉଥିବା ପାଚେରିକୁ ଶନିବାର ସ୍ଥାନୀୟ ଲୋକେ ବିରୋଧ କରି ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ପାଚେରି ନିର୍ମାଣ ହେଉଥିବା ସ୍ଥାନ ମନ୍ତ୍ରୀ ହେମ୍ବ୍ରମଙ୍କ ନିଜସ୍ବ। ଉକ୍ତ ସ୍ଥାନ ଦେଇ ଲୋକେ ଚଳପ୍ରଚଳ କରୁଥିବାରୁ ରାସ୍ତା ପାଇଁ ଜାଗା ଛାଡିବାକୁ ଅନୁରୋଧ କରିଥିଲେ। ହେଲେ ମନ୍ତ୍ରୀଙ୍କ ସ୍ବାମୀ ଏଥିପ୍ରତି ଗୁରୁତ୍ୱ ନ ଦେଇ ପାଚେରି ନିର୍ମାଣ କରିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚତ୍ ବିରୋଧ କରିବା ସହ କିଛି ଇଟାଖଣ୍ଡ ଖସାଇ ଦେଇଥିଲେ। ପରେ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା ପରେ ପରିସ୍ଥିତି ସୁଧୁରିଥିଲା।