ପ୍ରଶାସନ ଶୁଣିଲାନି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,୨୪ା୬(ଜଗନ୍ନାଥ ଧଳ): ପୂର୍ବରୁ ଥିବା ଗାଁ ରାସ୍ତା ସବୁ ଖରାପ ହେବା ପରେ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣିଲେ ନାହିଁ। ଫଳରେ ଗାଁ ଲୋକ ଶ୍ରମ, ସମୟ ଓ ଅର୍ଥ ଦେଇ ରାସ୍ତା ନିର୍ମାଣ କରିଛନ୍ତି। ଗଁାର ଯୁବକଠାରୁ ବୟସ୍କ ବ୍ୟକ୍ତି କାମ କରଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ସମିତି ଅଧୀନ କୋଇଲିପୁର ପଞ୍ଚାୟତ ତରପଦା ଗାଁର ୧ ନମ୍ବର ୱାର୍ଡରେ ବସବାସ କରଛନ୍ତି ୨ଶହ ପରିବାର।
୧୧ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଗାଁ ଦାଣ୍ଡରେ ପକ୍କା ରାସ୍ତା ନିର୍ମାଣ ହୋଇଥିଲା। ଏବେ ଏହି ରାସ୍ତା ଖାଲଖମାରେ ଭରପୂର ହୋଇଛି। ବର୍ଷାଦିନେ ପାଣି ଜମି ୨ଟି ସ୍ଥାନରେ ବଡ଼ ଖାଲ ହୋଇଥିଲା। ସ୍କୁଲ, କଲେଜ ପିଲାମାନେ ଯିବାଆସିବା ବେଳେ ମଧ୍ୟ ଏଠାରେ ଦୁର୍ଘଟଣା ଘଟିଥାଏ। ଏହି ରାସ୍ତା ନିର୍ମାଣ ପାଇଁ ଅନେକଥର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଗୁହାରି କରାଯାଇଥିଲା। ହେଲେ ସରପଞ୍ଚ, ବ୍ଲକ ପ୍ରଶାସନ କେହି କର୍ଣ୍ଣପାତ କରି ନ ଥିବା ୱାର୍ଡ ବାସିନ୍ଦା ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଶେଷରେ ଆଉ କାହାକୁ ଗୁହାରି କରିବୁ ନାହିଁ ନିଷ୍ପତ୍ତି ନେଇ ନିଜ ଗଁା ରାସ୍ତା ନିଜେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ତରପଦା ଗାଁର ୧ ନମ୍ବର ୱାର୍ଡର ଅଧିବାସୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନରୋତ୍ତମ ବାରିକ, ରବୀନ୍ଦ୍ର ଖଣ୍ଡୁଆଳ, ରଞ୍ଜନ ବେହେରା, ସୁକାନ୍ତ ସାହୁ, ଦୁଃଶାସନ ସୂତାର, ରମାକାନ୍ତ ସାହୁ, ସଞ୍ଜୟ ବେହେରା, ମହେଶ୍ୱର ବେହେରା, ପଞ୍ଚାନନ ନାୟକ, ନାରଣ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ରୂପକାନ୍ତ ସୂତାର, ନିମାଇଁ ଚରଣ ନାୟକ ଓ ଜଗନ୍ନାଥ ଦାସଙ୍କ ସମେତ ୩୮ ପରିବାରର ଲୋକେ। ସେମାନେ ସମସ୍ତେ ଟଙ୍କା ଆଦାୟ କରି ବାଲି, ଗୋଡ଼ି ଓ ସିମେଣ୍ଟ କ୍ରୟକରି ୱାର୍ଡ ଯୁବକଠାରୁ ବୟସ୍କ ଲୋକମାନେ ମିଶି ସମସ୍ତେ ଝୁଡ଼ି, କୋଦାଳ ହାତରେ ଧରି ଖାଲଖମାରେ ଭର୍ତ୍ତି ଥିବା ରାସ୍ତାରେ ମାଟି ପକାଇବା ସହ ବାଲି, ଗୋଡ଼ି ଓ ସିମେଣ୍ଟ ଫେଣ୍ଟି ରାସ୍ତାକୁ ପକ୍କା କରିଥିଲେ। ଲୋକମାନେ ଅଭିଯୋଗ କରିଛନ୍ତି, ପ୍ରଶାସନ ଉପରୁ ଆମର ଭରସା ତୁଟିଗଲା। ଏ ସମ୍ପର୍କରେ କୋଇଲିପୁର ସରପଞ୍ଚ ଅରୁଣ ରାଉତଙ୍କୁ ପଚାରିବାରୁ ଚଳିତବର୍ଷ ମାର୍ଚ୍ଚରେ ସେହି ଗଁାର ହନୁମାନ ମନ୍ଦିରଠାରୁ କ୍ଲବଘର ପର୍ଯ୍ୟନ୍ତ ୨ ଶହ ଫୁଟ ରାସ୍ତା ୨ ଲକ୍ଷ ୨୫ ହଜାର ଟଙ୍କାରେ ନିର୍ମାଣ କରାଯାଇଛି। ୧ ନମ୍ବର ୱାର୍ଡ ରାସ୍ତା ମରାମତି ପାଇଁ ଆକ୍ସନ ପ୍ଲାନ୍‌ ତିଆରି କରି ବ୍ଲକକୁ ପଠାଯାଇଛି। ଅନୁମୋଦନ ହୋଇ ଆସିଲେ ରାସ୍ତା କାମ କରାଯାଇଥାନ୍ତା। ତେବେ ଏଭଳି ଖବର ତମାମ୍‌ ଜିଲାର ରୋଚକ ବିଷୟ ହୋଇଛି।

Share