ନିଜସ୍ବ ପାଣ୍ଠିରେ ଗ୍ରାମବାସୀ ନିର୍ମାଣ କଲେ କାଠପୋଲ

ପାରଳାଖେମୁଣ୍ଡି,୨୪ା୯(ଡି.ଏନ୍‌.ଏ.): ଗାଁକୁ ନାହିଁ ପକ୍କା ରାସ୍ତା କିମ୍ବା ପୋଲ, ଦୋଳାରେ ବୁହା ହେଉଛନ୍ତି ରୋଗୀା ଏପରି ଦୈନନ୍ଦିନ ଅଭିଶପ୍ତ ଜୀବନ ଓ ଗମନାଗମନର ସମସ୍ୟା ଯୋଗୁ ଗ୍ରାମବାସୀ ନିଜସ୍ବ ପାଣ୍ଠି ସଂଗ୍ରହ କରି ନିର୍ମାଣ କଲେ କାଠପୋଲ। ଏହା ଦେଖିବାକୁ ମିଳିଛି ଗଜପତି ଜିଲା ରାଇପଙ୍କା ପଞ୍ଚାୟତ ଜନକପୁର ଗାଁରେ। ରାଜ୍ୟ ସରକାରଙ୍କ ବିକାଶ, ଦୁର୍ଗମାଞ୍ଚଳ ତଥା ଗମନାଗମନ ସୁବିଧା ଏଠାରେ ସାତସପନ। ଏଠାରେ କେହି ମଧ୍ୟ ପାଇନାହାନ୍ତି ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ କାର୍ଡ ଏବଂ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି କିନ୍ତୁ ଗୋଟିଏ ସପ୍ତାହରେ ପାଞ୍ଚ ଦିନ ବିଦ୍ୟୁତ୍‌ କାଟ ହେଉଛି। ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ପ୍ରତ୍ୟେକ ଘର ପିଛା ଏକ ହଜାର ଟଙ୍କା ଆଦାୟ କରି ୫୨ହଜାର ଟଙ୍କାରେ ଗ୍ରାମରେ ମାଟି ରାସ୍ତା ନିର୍ମାଣ କରିଥିଲେ। ଏହାପରେ ବର୍ତ୍ତମାନ କାଠ ପୋଲ ପାଇଁ ପ୍ରାୟ ୭ହଜାର ଟଙ୍କା ସଂଗ୍ରହ କରି ନିର୍ମାଣ କରିଛନ୍ତି। ଜିଲା ରାଇପଙ୍କା ପଞ୍ଚାୟତ ଜନକପୁର ଗାଁ ନିକଟରେ ଥିବା କାଲେମା ନାଳରେ ଗତ ଲଗାଣ ବର୍ଷାରେ କାଠ ପୋଲ ଭାସିଯିବା ପରେ ଯାତାୟାତ ପାଇଁ ପୁଣି ଥରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି। ଗୁଳୁବା ପଞ୍ଚାୟତ ଲଦିଗୁଡାଠାରୁ ରାଇପଙ୍କାକୁ ସଂଲଗ୍ନ କରୁଥିବା ଏହି ରାସ୍ତା ଉପରେ ଜନକପୁର, ଡକରପଙ୍କା ଗାଁ ସମେତ ରାୟଗଡ଼ା ଜିଲାର ୧୫/୨୦ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ବ୍ଲକ କାର୍ଯ୍ୟଳୟଠାରୁ ଆରମ୍ଭ କରି ଦୈନନ୍ଦିନ ବଜାର ହାଟ, ମେଡ଼ିକାଲ ଯିବାକୁ ହେଲେ ଏହି କାଠପୋଲ ହିଁ ଏବେ ସାହା ଭରସା। ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଗୁହାରି କରି ଆସୁଥିଲେ ବି ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନାହିଁ। ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନି ା ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ତିନି କିମି ବୋହି ଆଣିଲା ପରେ ଲଦିଗୁଡ଼ା ପହଞ୍ଚିବା ପରେ ଗାଡ଼ି ସୁବିଧା ମିଳିଥାଏ। ଖାଲି ସେତିକି ନୁହେଁ ଗ୍ରାମରେ କୌଣସି ସରକାରୀ ଅଧିକାରୀଙ୍କ ପାଦ କେବେ ପଡିନି ା ଚାଉଳ, ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯିବାକୁ ହେଲେ ୧୪ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି। ଏପରିକି କୋମଳ ଶିଶୁକୁ କାଖ କରି ମେଡ଼ିକାଲ ନେଉଥିବା ଦେଖାଦେଇଛି । ରାଜ୍ୟ ସରକାର ତୁରନ୍ତ ଆମ ଆଦିବାସୀଙ୍କ ଦୁଃଖ ବୁଝିବା ସହ ରାସ୍ତା ନିର୍ମାଣ କରାଇବା ପାଇଁ
ଗ୍ରାମବାସୀ ଅନୁରୋଧ କରିଛନ୍ତି।