ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ଦାବି କଲେ ଗ୍ରାମବାସୀ

ଖପ୍ରାଖୋଲ, ୨୬ା୮(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗାଁରେ ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଠାରେ କାର୍ଯ୍ୟରତ କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ଯାହା ଫଳରେ ଶିଶୁ ଏବଂ ମହିଳାମାନଙ୍କୁ ବିଭିନ୍ନ ସହାୟତା ଠିକ୍‌ରେ ମିଳୁନାହିଁ। ଗର୍ଭବତୀ ମହିଳାଙ୍କୁ ମିଳୁଥିବା ମମତା ସହାୟତା, ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କୁ ମିଳୁଥିବା ଖାଦ୍ୟ, ଅଣ୍ଡା ଆଦି ମିଳିବାରେ ସମସ୍ୟା ହେଉଛି। ଗାଁରେ ୯୫ ଜଣ ଶିଶୁ ଏବଂ ଗର୍ଭବତୀ ଥିବାବେଳେ ୩୫ଜଣ ପ୍ରାକ୍‌ ବିଦ୍ୟାଳୟ ଶିଶୁ ଅଛନ୍ତି। ପ୍ରାକ୍‌ ବିଦ୍ୟାଳୟର ଶିଶୁଙ୍କୁ ୪ ମାସ ହେଲା ଅଣ୍ଡା ଓ ଛତୁଆ ମଧ୍ୟ ଠିକ୍‌ରେ ମିଳୁ ନାହିଁ। ଏ ନେଇ ଭାନୁମତୀ ବିଶି, ପଲସ୍ତର ବରିହା, ଧନୁ ତରିଆ, ପୂର୍ଣ୍ଣଚନ୍ଦ୍ର ପାଣ୍ଡେ, କୈଳାସ ବରିହା, ଦାମୋଦର ବାଙ୍କ, ଗୌରାଙ୍ଗ ମାଝୀ, ଶ୍ୟାମସୁନ୍ଦର ମେହେର ପ୍ରମୁଖ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଖପ୍ରାଖୋଲ ସିଡିପିଓ, ପାଟଣାଗଡ ଉପଜିଲାପାଳ ଓ ପାଟଣାଗଡ ବିଧାୟକଙ୍କୁ ପ୍ରଦାନ କରାଯାଇଛି। ଏହି ପରିସ୍ଥିତିରେ କେନ୍ଦ୍ରରେ ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ସିଡିପିଓ ପ୍ରମିଳା ମହାନ୍ତିଙ୍କୁ ପଚାରିବାରୁ ସମ୍ପୃକ୍ତ ଅଙ୍ଗନଓ୍ବାଡି କର୍ମୀ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିବାରୁ ପାଖ କେନ୍ଦ୍ରର କର୍ମୀଙ୍କ ମାଧ୍ୟମରେ ଛତୁଆ, ଅଣ୍ଡା, ଖାଦ୍ୟ ଆଦି ବଣ୍ଟନ ବ୍ୟବସ୍ଥା କରାଯାଇଛି। ହେଲେ ଗ୍ରାମବାସୀ ନୂତନ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ଦାବି କରୁଛନ୍ତି। ଏ ନେଇ ମୁଁ ଉପଜିଲାପାଳଙ୍କୁ ଅବଗତ କରିଥିବା ସେ ପ୍ରକାଶ କରିଛନ୍ତି।

Share