Advertisement

ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି ନଜର ପଡୁନାହିଁ। ଏହି ସାହିରେ ୩୦ରୁ ଊର୍ଦ୍ଧ୍ୱ ଗରିବ ମୁଣ୍ଡା ଓ ମହାନ୍ତ ସମ୍ପ୍ରଦାୟର ପରିବାର ବସବାସ କରିଆସୁଛନ୍ତି। ତେବେ ୩ ମାସ ତଳେ ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର ଅଚଳ ହୋଇଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ନିୟମିତ ବିଦ୍ୟୁତ୍‌ ବିଲ୍‌ ପୈଠ କରିଆସୁଥିଲେ ହେଁ ଏବେ ସଜଡ଼ା ଯାଉ ନ ଥିବାରୁ ଅନ୍ଧାରରେ ରାତି କାଟିବାକୁ ପଡୁଛି ବୋଲି ସେମାନେ କହିଛନ୍ତି। ଉକ୍ତ ଗ୍ରାମଟି ଜଙ୍ଗଲ ପରିବେଷ୍ଟିତ ଥିବାରୁ ସବୁବେଳେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଭୟ ଲାଗିରହୁଛି। ଅନେକ ସମୟରେ ହାତୀ ଗ୍ରାମ ଭିତରକୁ ପଶି ଆସୁଥିବାରୁ ଅନ୍ଧାରରେ ସେମାନେ ଭୟଭୀତ ହୋଇ ରହୁଥିବା କହିଛନ୍ତି। ବିଦ୍ୟୁତ୍‌ କାଟ୍‌ ଯୋଗୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। କିରୋସିନି ମୂଲ୍ୟ ବହୁ ଅଧିକ ଥିବାରୁ କିଣି ବ୍ୟବହାର କରିପାରୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଟ୍ରାନ୍ସଫର୍ମର ସଜାଡ଼ିବାକୁ ନିବେଦନ କରିବାକୁ ପ୍ରାୟ ୧୦୦ କିମି ଦୂରରୁ ହରିହର ମୁଣ୍ଡା, ଟିକାରାମ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମୁଣ୍ଡା, ମହେଶ୍ୱର ମୁଣ୍ଡା, ଲିପୁନ ମହାନ୍ତ ପ୍ରମୁଖ ଆସି ଆଜି ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share