ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ଉଦଳା,୨୯ା୭(ସନ୍ତୋଷ କୁମାର ବାଚ୍ଛିନୀ): ଗଁାକୁ ନାହିଁ ଭଲ ରାସ୍ତା। ଆଣ୍ଠୁଏ ଲେଖାଏ ଖାଲ। କାଦୁଅ ପଚପଚ ରାସ୍ତାରେ ବର୍ଷାଦିନେ ଯାଇଆସି ହେଉନାହିଁ। ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କରୁନାହିଁ। ଏଥିରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଜଡିଦା ପଞ୍ଚାୟତ ଅଧୀନ ଘୁଣ୍ଟିିବିଲ୍‌ ଗ୍ରାମବାସୀ ଶୁକ୍ରବାର ଅଭିନବ ପ୍ରତିବାଦ କରିଛନ୍ତି। ସେମାନେ କାଦୁଅ ପଚପଚ ଗଁା ରାସ୍ତାରେ ଧାନତଳି ରୋଇବା ସହ କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ନେଦାମ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ତୁରନ୍ତ ଗ୍ରାମ ରାସ୍ତା ମରାମତି ସହ ଭଲ ସଡ଼କଟିଏ ନିର୍ମାଣ କରିବାକୁ ଦାବି କରିଥିଲେ। ଦୀର୍ଘ ସମୟ ଧରି ରାଜ୍ୟ ରାଜପଥ ଅବରୋଧ ଯୋଗୁ ଉଦଳା-ଠାକୁରମୁଣ୍ଡା ଓ କପ୍ତିପଦା-କେନ୍ଦୁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଯାତ୍ରୀବାହୀ ବସ୍‌ ସହ ଯାନବାହନ ଅଟକି ରହିଥିଲା। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା ା କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାୟକ ପହଞ୍ଚତ୍ ଉକ୍ତ ରାସ୍ତା ବୁଲି ଦେଖିଥିଲେ। ରାସ୍ତାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ସରପଞ୍ଚ ମିନତୀ ମଢ଼େଇଙ୍କ ସହ ଆଲୋଚନା କରିଥିଲେ। କାଦୁଅ ଉପରେ ମୋରମ ପକାଇ ରାସ୍ତାକାମ କରାଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ। ତେବେ ସରକାରୀ ସ୍ତରରେ ଅନୁମୋଦନ ହେବା ପରେ ଖୁବ୍‌ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।