‘ଗାଁକୁ ପକ୍କାରାସ୍ତା ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ନାହିଁ’

ଦଶମନ୍ତପୁର, ୨।୧୧(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣାବାଡ଼ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୌଡ଼ ରାମଜି ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁକୁ ୪ ଚକିଆ ଯାନ ଆସିପାରୁ ନାହିଁ। ଏପରିକି ଗାଁକୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁର ରୋଗୀ,ଗର୍ଭବତୀଙ୍କୁ ସ୍ଥାନୀୟ ଦଶମନ୍ତପୁର କିମ୍ବା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ଚିକିତ୍ସାଳୟକୁ ନେବାକୁ ହେଲେ ଦୋଳା କିମ୍ବା ଭାର ସାହାଯ୍ୟରେ ଗାଁଠାରୁ ପ୍ରାୟ ଦେଢ଼ କି.ମି. ଦୂର ବୋହି ନେବାକୁ ପଡ଼ିଥାଏ ବୋଲି ଗ୍ରାମବାସୀ ଜଣାଇଛନ୍ତି। ପିଡବ୍ଲ୍ୟୁଡି ଛକ ଠାରୁ ପ୍ରାୟ ଦେଢ଼ କି.ମି. ଦୂର ଗୌଡ ରାମଜି ଗାଁକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଗାଁ ଲୋକେ ବୁଧବାର ଦେଢ଼ କି.ମି. ଦୂରତା ଯାଏଁ ନିଜେ ଶ୍ରମଦାନ କରି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରା ନ ଗଲେ ଆମେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଗୌଡ଼ ରାମଜି ଗ୍ରାମରେ ୨ ସମ୍ପ୍ରଦାୟର ମୋଟ ୩୫ ପରିବାର ବସବାସ କରୁଛନ୍ତି। କମାରସାହିରେ ୨୦ ଓ ଆଦିବାସୀ ସାହିରେ ୧୫ ପରିବାର ରହୁଥିବାବେଳେ ଗାଁକୁ ପକ୍କା ରାସ୍ତା ନ ଥିବାରୁ ସେମାନେ ବହୁ ହଇରାଣ ହେଉଛନ୍ତି। ପକ୍କାରାସ୍ତା ନିର୍ମାଣ ପାଇଁ ଆମେ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ ପ୍ରଶାସନ ଯାଏଁ ଲିଖିତ ଓ ମୌଖିକ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମର କାର୍ତ୍ତିକ କମାର, ରତି କମାର, ସୋଭା କମାର, ଗଙ୍ଗା କମାର, ଜଗ ସାଉଁନ୍ତା, ସଦା ଜାନୀ, ହରି କମାର କହିଛନ୍ତି। ଏପରିକି ରାସ୍ତା ନିର୍ମାଣ ପାଇଁ ଆମେ ପଲ୍ଲିସଭାଠାରୁ ଆରମ୍ଭକରି ଗ୍ରାମସଭାରେ ବହୁବାର ଅଭିଯୋଗ କରି ଆସୁଛୁ। ହେଲେ କୌଣସି ସୁଫଳ ନ ମିଳିବାରୁ ଆମେ ବାଧ୍ୟହୋଇ ୨ ସାହିର ଲୋକ ଏକ ବୈଠକ କରି ପ୍ରତ୍ୟେକ ଘରୁ ଜଣେ ଲେଖାଏ ମିଶି ନିଜସ୍ବ ଇଚ୍ଛାରେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଫଳରେ ଗ୍ରାମବାସୀ ମିଶିକି ଶ୍ରମଦାନ କରି ଗାଁ ନିକଟସ୍ଥ ସର୍ଗି ଖେନ୍ଦା ଘାଟିଠାରୁ ରାସ୍ତା ମରାମତି କରିଥିବା ଗ୍ରାମବାସୀ କହିଛନ୍ତି।