ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଲୋଇସିଂହା,୨୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନା ଶିବିର ଚାଲିଥିବାବେଳେ ତହସିଲଦାର ସଂଘମିତ୍ରା କାଲୋ, ବିଡ଼ିଓ ଅକ୍ଷୟ ପାଣି ଉଡୁ, ଏବିଡିଓ ସୁରେନ୍ଦ୍ର ସିଂ ବାବୁ, ବିଏସଏସଓ ଆଶା ପଧାନ, ଏପିଓ ପୁଷ୍ପଞ୍ଜଳି ସ୍ବାଇଁ, ରଜସ ନିରୀକ୍ଷକ ଆଦି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ତାଲା ପକାଇ ରଖିଛନ୍ତି।

ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇଥିବା ଗ୍ରାମର ପ୍ରସିଦ୍ଧ ଯୋଗେଶ୍ୱର ପୀଠ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪ କୋଟିରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ମନ୍ଦିର ପ୍ରାୟ ୪୨ ଏକର ଜମି ରହିଛି। ମନ୍ଦିର ସଂଲଗ୍ନରେ ୭ ଏକର ଜମି ରହିଛି। ଯାତ୍ରା ପଡ଼ିଆ ଓ ଦେବୋତ୍ତର ଜମିକୁ କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଜବରଦଖଲ କରି ଅବୈଧ ଭାବେ ଗୃହ ସାଙ୍ଗକୁ ଦୋକାନ ଘର କରିଛନ୍ତି। ଉନ୍ନତିମୂଳକ କାମ ପାଇଁ ପ୍ରସ୍ତୁତ ଡିପିଆରରେ ଶିଶୁ ପାର୍କ ଓ ଗାଡ଼ି ପାର୍କିଂ ପାଇଁ ରହିଛି। ହେଲେ ଏହା ନିର୍ମାଣ ପାଇଁ ଜମି ବାଧକ ସାଜିଛି। ଏହାର ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛି। ସମାଧାନ ପରିବର୍ତ୍ତେ ସମସ୍ୟା ଜଟିଳ ହେବାକୁ ଲାଗିଛି। ଅନୁଦାନ ଥାଇ ସୁଦ୍ଧା କାମ ହେଉନାହିଁ।
ଅପରପକ୍ଷେ ଗ୍ରାମବାସୀ ଓ ପ୍ରତିପକ୍ଷ ମଧ୍ୟରେ ବିବାଦ ଉପୁଜିିଛି। ଆଜିର ଶିବିରରେ ଏହି ସମସ୍ୟାର ସମାଧାନ ଦାବି କରି ଅଧିକାରୀଙ୍କୁ ତାଲା ପକାଇଥିବା ଜଣାପଡ଼ିଛି। ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।