ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ବରପାଲି,୩୦।୫(ଡି.ଏନ୍‌.ଏ .): ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ କେତେକ ମୁନଫାଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଘଟଣା ଘଟିଛି ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ।
କେତେକ ହିତାଧିକାରୀ ୨ ମାସର ଟଙ୍କକିଆ ଚାଉଳ ପାଇ ନ ଥିବାରୁ ଗ୍ରାମବାସୀମାନେ ପଞ୍ଚାୟତ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଏହା ସହ ସେମାନେ ସରପଞ୍ଚ, ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଆଗରୁ ଜଣାଇଥିଲେ । ହେଲେ କିଛି ସୁଫଳ ନ ମିଳିବାରୁ ସୋମବାର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟାର ପହଞ୍ଚି ଥିଲେ। ସେମାନଙ୍କୁ ଚାଉଳ ନ ଥିବା ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ରୋକ ଠୋକ ଶୁଣାଇ ଦେଇଥିଲେ । ଗ୍ରାମ ସେବକ ଚାଉଳ ଦେବା ପାଇଁ କହୁଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ । ଫଳରେ ଲୋକେ ଉତ୍ୟକ୍ତ ହୋଇ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଥିଲେ। ପରେ ଯୋଗାଣ ସହାୟକ ପଞ୍ଚାୟତର କାର୍ଯ୍ୟ ନିର୍ବାହୀଙ୍କ ସହ ଫୋନ ଯୋଗେ କଥା ହେବା ପରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । ଯଦି ଚାଉଳ ନାହିଁ ବୋଲି ଫେରାଇ ଦେଉଥିବା ଯୋଗାଣ ସହାୟକ ପୁଣି କେଉଁଠୁ ଚାଉଳ ଆଣି ଦେଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ।

Share