ଖଇରପୁଟ,୨୭ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତର ପୋଢ଼କୋଲନୀ ଗ୍ରାମର ଲୋକେ ନିଜ ଉଦ୍ୟମରେ ଗ୍ରାମ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଗୁଣ୍ଡୁରିଗୁଡ଼ା କଲୋନୀଠାରୁ ପୋଢ଼କୋଲନୀ ଗ୍ରାମକୁ ରାସ୍ତା ଥିଲା, ମାତ୍ର ଆଦର୍ଶ ବିଦ୍ୟାଳୟ ନିର୍ମାଣ ପରେ ସେହି ଗ୍ରାମକୁ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ଗ୍ରାମବାସୀ ଯାତାୟାତ ଲାଗି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସମସ୍ତେ ଏକାଠି ହୋଇ ଆଦର୍ଶ ବିଦ୍ୟାଳୟ ପାର୍ଶ୍ୱରେ ଥିବା କେନାଲ ରାସ୍ତା ମରାମତି କରିବାକୁ ଯୋଜନାକରି ବିଫଳ ହୋଇଥିଲେ। ସମସ୍ତେ ଏକାଠି ହୋଇ ୫ଶହ ଲେଖାଏ ଟଙ୍କା ଚାନ୍ଦାକରି ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପିଇଓଙ୍କୁ ଜଣାଇବାରୁ ସେ କହିଲେ, ରାସ୍ତା କାର୍ଯ୍ୟ ପାଇଁ ଡିଆର୍ଡିଏକୁ ପ୍ରୋଜେକ୍ଟ ଯାଇଛି। ସେ କାର୍ଯ୍ୟର ଆପ୍ରୁଭାଲ କଲେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ। ଏନେଇ ପ୍ରଶାସନଙ୍କଠାରୁ ଆରମ୍ଭକରି ଜନ ପ୍ରତିନିଧିଙ୍କୁ ଜଣାଇ କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀ ଏକାଠି ହୋଇ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରିଥିଲେ।