ଗ୍ରାମବାସୀ ତିଆରି କଲେ କାଠପୋଲ

ସମ୍ବଲପୁର/ ନାକଟିଦେଉଳ,୧୦ା୯ (ବ୍ୟୁରୋ/ଡି.ଏନ.ଏ.): ବିକଶିତ ହେଉଛି ଦୁର୍ଗମ ଅଞ୍ଚଳ। ଏଭଳି ନାରା ଦେଉଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। ସାମାନ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠରେ ଅସ୍ଥାୟୀ ପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଅନ୍ତର୍ଗତ ବଳମ ପଞ୍ଚାୟତର ଧଳତଇଲା-ମହକୁଦ ରାସ୍ତାରେ ରହିଛି ଅନକାବୁଡ଼ା ନାଳ। ଏହି ରାସ୍ତା ଉପରେ ଧଳତଇଲା, ଡିମିରିକୁଦା, ରଞ୍ଜା, ଗଞ୍ଜାବାହାଲ ଓ ବେତଝରଣ ଗ୍ରାମର ପ୍ରାୟ ୩ହଜାର ଲୋକ ନିର୍ଭର କରିଥାନ୍ତି। ସେମାନେ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ଡାକ୍ତରଖାନା, ତହସିଲ ଅଫିସକୁ ଏହି ରାସ୍ତାଦେଇ ଯାଇଥାନ୍ତି। ସ୍କୁଲ କଲେଜ ଛାତ୍ରୀଛାତ୍ର ମଧ୍ୟ ନାଳ ପାରି ହୋଇ ଯାଆନ୍ତି। ବିଶେଷ କରି ବର୍ଷାଦିନେ ଲୋକଙ୍କ ସମସ୍ୟା ଦ୍ୱଗୁଣିତ ହୋଇଥାଏ। ନାଳ ଉପରେ ପୋଲ ହେଲେ ୯କି.ମି. ଦୂରତା ଅତିକ୍ରମ କରି ସେମାନେ ବ୍ଲକ ଅଫିସରେ ପହଞ୍ଚତ୍ ପାରନ୍ତେ। ହେଲେ ପୋଲ ନ ଥିବାରୁ ସେମାନଙ୍କୁ ୧୯କି.ମି.ରାସ୍ତା ବୁଲି ବ୍ଲକକୁ ଯିବାକୁ ପଡ଼ୁଛି। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ଉପରୋକ୍ତ ୫ ଗ୍ରାମର ଲୋକେ ନାଳ ଉପରେ କାଠପୋଲ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଶେଷରେ ନିଜେ ଶ୍ରମଦାନ କରି ୧୫୦ ମିଟର ଲମ୍ବ ଓ ୫ ଫୁଟ ଦୈର୍ଘ୍ୟର ପୋଲ ନିର୍ମାଣ କରିଛନ୍ତି। ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଓ ସେମାନଙ୍କୁ ସହଯୋଗ କରିଥିବା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଏ ସମ୍ପର୍କରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି, ଉକ୍ତ ଗ୍ରାମଗୁଡିକୁ ବିକଳ୍ପ ରାସ୍ତା ରହିଛି। ଆର୍‌ଡି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି। ନାଳ ଉପରେ ପୋଲ ନିର୍ମାଣ ହେଲେ ରାସ୍ତାର ଦୂରତା କମିଯିବ ବୋଲି କହୁଛନ୍ତି। ଏ ଦିଗରେ ଆମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରାଯିବ ବୋଲି କହିଥିଲେ।

Share