ରାଜନାପଲି ବିଦ୍ୟାଳୟ ଖୋଲିବାକୁ ଦାବି ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ଅଧୀନ ରାଜନାପଲି ପ୍ରାଥମିକ ବିଦ୍ୟାଳୟଟି ୩ ବର୍ଷ ହେଲା ବନ୍ଦ ରହିଛି। ଏହାକୁ ପୁନଃ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ରାଜନାପଲି ଗ୍ରାମବାସୀ ବୁଧବାର ଛତ୍ରପୁର ଆସି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗେଦଲପଲି ସ୍କୁଲକୁ ରାଜନାପଲି ଗାଁର ପିଲାମାନେ ପାଠ ପଢ଼ିବାକୁ ଯିବାକୁ ପଡୁଛି। ୨ଟି ଶ୍ମଶାନ ଅତିକ୍ରମ କରି ରାସ୍ତା ଦେଇ ସେଠାକୁ ପିଲାମାନେ ଯାଉଛନ୍ତି। ପିଲାମାନେ ଯାଉଥିବା ରାସ୍ତାରେ ବାଲି ଓ ପଥର ଗାଡ଼ି ସର୍ବଦା ଯାତାୟାତ କରୁଛି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ଏବେ ଉକ୍ତ ଗାଁରେ ପିଲା ସଂଖ୍ୟା ବଢ଼ିଛି। ଏଣୁ ଯଥାଶୀଘ୍ର ରାଜନାପଲି ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କରାଯାଇଛି।