ରାସ୍ତା ମରାମତି କଲେ ଗ୍ରାମବାସୀ

କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ ବିଛାଇ ମରାମତି କରିଛନ୍ତି।
ରାଜ୍ୟ ରଜପଥରୁ ନାଗଡିହି ଗ୍ରାମ ପର୍ଯ୍ୟନ୍ତ ୧କି.ମି. ରାସ୍ତାରେ ବଡ ବଡ ଗାତ ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି କରୁଥିଲା। ବର୍ଷା ଦିନେ ଖାଲଗୁଡିକରେ ପାଣି ଭର୍ତ୍ତି ହୋଇ ଛୋଟ ବଡ ଦୁର୍ଘଟଣା ଘଟୁଥିଲା। ଏହି ରାସ୍ତା ସମେତ ଅନ୍ୟ ୨୪ ଗୋଟି ରାସ୍ତାର ଉନ୍ନତି ସକାଶେ ୨୭ା୯ା୨୦୨୨ରେ କୁଚିଣ୍ଡା ପଞ୍ଚାୟତ ସମିତି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ନିମନ୍ତେ ପ୍ରସ୍ତାବ ହୋଇଥିଲା। ଗୃହୀତ ପ୍ରସ୍ତାବ କାର୍ଯ୍ୟକାରିତା ନିମନ୍ତେ କୁଚିଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା-୪୦୧୦/ତା୬ା୧୨ା୨୦୨୨ରେ ଡିଆର୍‌ଡିଏ ପିଡିଙ୍କୁ ପତ୍ରାଳାପ କରାଯାଇଥିଲା। ଇତିମଧ୍ୟରେ ୫ମାସ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ନ ଥବା ଜଣାଯାଏ। ତେଣୁ ପ୍ରଶାସନ ଉପରେ ଭରସା ନ କରି ଗ୍ରାମବାସୀ ନିଜେ ରାସ୍ତା ମରାମତି କରିଥିବା କହିଛନ୍ତି। ଏହି ମରାମତି କାର୍ଯ୍ୟରେ ସୁରଭି ମାକର, ଅଞ୍ଜଳି କିଷାନ, କେଶରୀ କିଷାନ, ସୁନାଫୁଲ ବର, ସୁବାସିନୀ କିଷାନ, ଯଜ୍ଞସିନୀ କିଷାନ, କୁମୁଦିନୀ କିଷାନ, ତେଲିରାମ ପ୍ରଧାନ, କଷ୍ଟୁ ମାକର, ସଚ୍ଚିନ୍ଦ୍ର ନାୟକ, ପ୍ରମୋଦ କର୍ସେଲ, ଦୁତିଆ ବର, କୁମର କଉଡି, ସନାତନ ବର, ବୁନ୍ଦେ ଧୂରୁଆଙ୍କ ସମେତ ବହୁ ସଂଖ୍ୟକ ମହିଳାପୁରୁଷ ସାମିଲ ହୋଇଥିଲେ।

Share