Categories: ଗଞ୍ଜାମ

ଶିକ୍ଷକ ନିଯୁକ୍ତି ପାଇଁ ବିଇଓଙ୍କୁ ଘେରିଲେ ଗ୍ରାମବାସୀ

ଗଞ୍ଜାମ,୩୧।୩(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଶିକ୍ଷକ ସମସ୍ୟା ଲାଗିରହିଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେବା ସହ ବୁଧବାର ଗ୍ରାମର ମହିଳା ଓ ପୁରୁଷ ଗଞ୍ଜାମ ବ୍ଲକ ବିଇଓ ଅଫିସ ଘେରାଉ କରିଥିଲେ। ଏଥିସହ ସ୍ଥାୟୀ ସମାଧାନ ପାଇଁ ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ବିଜୟ ବେହେରାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। କୋଭିଡ୍‌ କଟକଣା ଯୋଗୁ ଦୁଇବର୍ଷରୁ ଊର୍ଦ୍ଧ୍ୱ ଦିନ ସ୍କୁଲ ବନ୍ଦ ରହିଥିଲା। ଏବେ ସ୍କୁଲ ଖୋଲାଗଲା କିନ୍ତୁ ସ୍କୁଲରେ ଦୁଇଜଣ ଶିକ୍ଷକ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ ଆଉ ଜଣେ ସହକାରୀ ଶିକ୍ଷକ ଅଛନ୍ତି। ଅଧିକ ସଂଖ୍ୟକ ବିଦ୍ୟାର୍ଥୀ ଯୋଗୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଆଗାମୀ ଦିନରେ ଯଦି ସ୍ଥାୟୀ ସମାଧାନ ନ ହୁଏ ତା’ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସ୍କୁଲ ପରିଚାଳନା କମିଟି ସଭାପତି ମମତା ତରାଇ, ଗ୍ରାମ୍ୟ ସଭାପତି ପଙ୍କଜ ତରାଇ, ସୁକାନ୍ତ ପଳାଇ, କୈଳାସ ସ୍ବାଇଁ, ସୁଶୀଲ ସାହୁ, ବୁଲୁ ତରାଇ, ସୁରେନ୍ଦ୍ର ପଳାଇ ପ୍ରମୁଖ ଉପସ୍ଥିତ ଥିଲେ।