ଗ୍ରାମବାସୀଙ୍କ ଥାନା ଘେରାଓ, ଉତ୍ତେଜନା

ଲେଫ୍ରିପଡ଼ା,୧୦ା୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁଆରୀଯୋର ଗ୍ରାମରୁ ଜଣେ ଯୁବକଙ୍କୁ ସ୍ଥାନୀୟ ମଦବ୍ୟବସାୟୀ ଦମ୍ପତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ଯୁବକଙ୍କୁ ଉଦ୍ଧାର ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଥାନା ଘେରାଉ କରାଯିବା ସହ ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ ସୁଆରୀଯୋର ଗ୍ରାମର ଈଶ୍ୱର କିଷାନ(୩୨)ସୋମବାର ବେଲସରା ମନ୍ଦିରକୁ ଯାଇ ଫେରୁଥିବା ସମୟରେ କଦୋମାଲ ସୁଆରୀଯୋର ପେଣ୍ଠ ଜାଗାରେ ଲେଫ୍ରିପଡ଼ା ଅଲେଖପଡାର ଡିଲେଶ୍ୱର ପୃଷେଠ ଏବଂ ତାଙ୍କର ସ୍ତ୍ରୀ ଈଶ୍ୱରଙ୍କୁ କୁଆଡ଼େ ଅପହରଣ କରି ନେଇଯାଇଥିବା ଲେଫ୍ରିପଡ଼ା ଥାନାରେ ଈଶ୍ୱର କିଷାନଙ୍କ ସ୍ତ୍ରୀ କୁମାରୀ କିଷାନ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଗ୍ରାମବାସୀ ଲେଫ୍ରିପଡ଼ା ଥାନାକୁ ସୋମବାର ସାରେ ଏବଂ ମଙ୍ଗଳବାର ଦିନ ସାରା ଯୁବକଙ୍କୁ ଉଦ୍ଧାର ଦାବିରେ ଥାନା ଘେରାଉ କରିଥିଲେ। ଥାନାରେ ପ୍ରବଳ ଉତ୍ତେଜନା ହେବା ପରେ ମଦବ୍ୟବସାୟୀ ଦମ୍ପତିଙ୍କୁ ଗିରଫ କରି ଥାନାରେ ପୋଲିସ ଅଟକ ରଖିଛି। ଦିନସାରା ଉତ୍ତେଜନା ଦେଖା ଦେବାରୁ ପରେ ଅପରାହ୍ନରେ ତଲସରା ବିଧାୟକ ଭବାନୀଶଙ୍କର ଭୋଇ ଲେଫ୍ରିପଡା ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଦାବି ରଖିଥିଲେ। ମଙ୍ଗଳବାର ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଥିବାବେଳେ ଜଣେ ଆଦିବାସୀ ଯୁବକଙ୍କୁ ମଦବ୍ୟବସାୟୀ ଅପହରଣ କରି ନେଇଯାଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ପ୍ରକାଶ କରିଥିଲେ। ପୋଲିସ ପକ୍ଷରୁ ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ଏବଂ ଥାନା ଆଇଆଇସି ସୁମନ୍ତ କୁମାର ନାଏକ ଅପହରଣ ହୋଇଥିବା ଯୁବକଙ୍କୁ ଅତିଶୀଘ୍ର ଉଦ୍ଧାର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି କହିଥିଲେ। ଏଥିପାଇଁ ଗ୍ରାମବାସୀ ଉତ୍ତେଜନା ନ କରି ପୋଲିସକୁ ତଦନ୍ତ ସକାଶେ ସହଯୋଗ କରିବା ପାଇଁ ସମୟ ମାଗିଥିଲେ। କିନ୍ତୁ ପୋଲିସର ବୁଝାସୁଝା ପରେ ଗ୍ରାମବାସୀ ରାଜି ନ ହେବାରୁ ଦିନ ତମାମ ଉତ୍ତେଜନା ଦେଖାଦେଇଥିଲା। ପରେ ସାରେ ଥାନାରେ ତଲସରା ବିଧାୟକ ଏବଂ ସୁଆରୀଯୋର ଗ୍ରାମବାସୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅମୀର କୁମାର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୌତୁକ ଚୌଧୁରୀ ସମେତ ଅଞ୍ଚଳର ବହୁ ନେତୃମଣ୍ଡଳୀ ଯୁବକଙ୍କୁ ଉଦ୍ଧାର ଦାବିରେ ଧାରଣାରେ ବସିଥିଲେ। ରାତି ପର୍ଯ୍ୟନ୍ତ ଥାନାରେ ଧାରଣାରେ ବସିରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ପାରିପାର୍ଶିକ ସ୍ଥିତିରୁ ଅପହରଣ ହୋଇଥିବା ଯୁବକଙ୍କ ପିନ୍ଧିଥିବା ସାର୍ଟ, ପେଣ୍ଟ, ଜୋତା ଇତ୍ୟାଦି ପୋଲିସ ତଦନ୍ତରୁ କୌଣସି ଏକ ସ୍ଥାନରୁ ମିଳିଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ସନ୍ଦେହ ବଢିବାରେ ଦେଖାଦେଇଛି।

Share