Categories: ଗଞ୍ଜାମ

ହତ୍ୟାକାରୀଙ୍କୁ ଗିରଫ ଦାବି: ଭେଜିପୁଟ ଫାଣ୍ଡି ଘେରିଲେ ଗ୍ରାମବାସୀ

ଖଲ୍ଲିକୋଟ,୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ଖଟିଆ ସାହିର ୩ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ପୂର୍ବାହ୍ନ ୧୦ଟାରୁ ଭେଜିପୁଟ ଫାଣ୍ଡି ଘେରାଉ କରିଥିଲେ। ଜୁଲାଇ ୩ରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏପରି ଘେରାଉ କରାଯାଇଥିଲା। ଏସ୍‌ଡିପିଓ ୩ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଛି।
ପ୍ରକାଶ ଯେ, ଗତ ଜୁଲାଇ ୩ରେ ଚୋରାମଦ କାରବାରକୁ ନେଇ ପଥରା ମଝିସାହି ଛକରେ ଗୋଷ୍ଠୀ ସଂଘର୍ଷ ଘଟି ଖଟିଆସାହିର ପିଙ୍କୁ ଦାସଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଥିଲେ। ଘଟଣାକୁ ନେଇ ୧୧ ଜଣଙ୍କ ନାମର ଖଲ୍ଲିକୋଟ ଥାନାରେ ଏତଲା ହୋଇଥିଲା। ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ଗିରଫ ନ ହେବା ଏବଂ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଏବଂ ପୋଲିସ ଅଧିକାରୀ ହାତଗୁଞ୍ଜା ନେଇ ଦୋଷୀଙ୍କୁ ଗିରଫ କରୁ ନଥିବା ଅଭିଯୋଗ କରି ଫାଣ୍ଡି ମହିଳା ଓ ପୁରୁଷ ଫାଣ୍ଡି ଘେରାଉ କରିଥିଲେ। ବହୁ ମହିଳା ଫାଣ୍ଡି ଭିତରେ ଧସେଇ ପଶି ଯାଇଥିବାବେଳେ ବାହାରେ ମଧ୍ୟ ବହୁ ମହିଳା ଓ ପୁରୁଷ ରହି ହୋହଲ୍ଲା କରିଥିଲେ। ଛତ୍ରପୁର ଏସ୍‌ଡିପିଓ ଗୌତମ କିସାନ, ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଥରା ସରପଞ୍ଚ ବନମାଳୀ ବାଲା, ପୂର୍ବତନ ସମିତିସଭ୍ୟ ଶକଳେଶ୍ୱର ଦାସ ପ୍ରମୁଖ ବୁଝାଶୁଝା କରିଥିଲେ। ଏସ୍‌ଡିପିଓ ୩ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଗ୍ରାମବାସୀ ଘରକୁ ଫେରିଥିଲେ। ଏଠାରେ କୋଭିଡ୍‌ କଟକଣା ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିଲା।