ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା ବନ୍ଧ ବାନ୍ଧି ଗାଁ ଭିତରକୁ ପଶିଯାଉଥିବା ଉଚ୍ଚ ଲୁଣି ଜୁଆରକୁ ଅଟକାଇବାରେ ସଫଳ ହୋଇ ଏକତାର ପ୍ରମାଣ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ ଦୁଇ ସମୁଦ୍ର ଉପକୂଳ ଗାଁରେ।
ବ୍ଲକର ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ। ଗତ ୟାସ୍‌ ବାତ୍ୟାରେ ସମୁଦ୍ର ଓ ନଦୀ ମୁହାଣରୁ ଲୁଣି ଜୁଆର ମାଡ଼ି ଆସି ଗାଁକୁ ସୁରକ୍ଷା ଦେଉଥିବା ଲୁଣାବନ୍ଧକୁ ଭାଙ୍ଗି ଦେଇଥିଲା। ସୁରକ୍ଷା ବନ୍ଧର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘାଇ ହୋଇ ଲୁଣି ପାଣି ଗାଁ ଭିତରକୁ ମାଡ଼ି ଆସିଥିଲା। ଧନଜୀବନ ନଷ୍ଟ ହେବା ସହିତ ଶହ ଶହ ଏକର ଚାଷ ଜମିରେ ଲୁଣି ପାଣି ଜମିଯାଇଥିଲା। ଯେଉଁଥିପାଇଁ ଚାଷୀ ଆଜି ବି ଭଲ ଫସଲ ଅମଳ କରିପାରୁନାହିଁ। ବାତ୍ୟାର ବହୁ ମାସ ପରେ ମଧ୍ୟ ସରକାର ଲୁଣା ବନ୍ଧର ଘାଇ ମରାମତି କଲେ ନାହିଁ। ଫଳରେ ଅମାବାସ୍ୟା ପୂର୍ଣ୍ଣମୀରେ ଉଚ୍ଚ ଜୁଆର ହେଲେ ସେହି ଘାଇ ଦେଇ ଲୁଣି ପାଣି ଚାଷ ଜମିକୁ ମାଡ଼ି ଆସୁଥିବାରୁ ଗ୍ରାମବାସୀ ଚାଷ କରି ନ ପାରି ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି। ଗ୍ରାମବାସୀ ଯେତେ ଗୁହାରୀ କଲେ ମଧ୍ୟ ପ୍ରଶାସନ କି ସରକାର ଗୁହାରି ଶୁଣିଲେ ନାହିଁ। ଶେଷରେ ଗ୍ରାମବାସୀ ଏକାଠି ହୋଇ ନିଜ ଅଞ୍ଚଳର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ି ଲୁଣା ବନ୍ଧ ମରାମତି କରିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ସେଚ୍ଛାସେବୀ ସଙ୍ଗଠନ ସ୍ପର୍ଶ ଓ ଗୁଞ୍ଜ ଏନଜିଓ ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସରକାର ଯଦି ଏହି ଲୁଣାବନ୍ଧକୁ ପଥର ବନ୍ଧରେ ରୂପାନ୍ତରିତ ନ କରନ୍ତି ତେବେ ସମୟ ଆସିବା ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ରରେ ଲୀନ ହୋଇଯିବ।