ନୂଆଦିଲ୍ଲୀ, ୧୭।୫ :
କୋଭିଡ୍-୧୯ କାରଣରୁ ରବିବାର ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଦ୍ୱିତୀୟ ଲହରରେ ଦେଶର ୨୪୪ ଯୁବ ଡାକ୍ତର ପ୍ରାଣ ହରାଇଲେଣି। ଗତବର୍ଷ ପ୍ରଥମ ଲହରରେ ୭୩୬ ଡାକ୍ତରଙ୍କ ଜୀବନ ଯାଇଥିଲା। କରୋନା ଗତବର୍ଷଠାରୁ ଏପର୍ଯ୍ୟନ୍ତ ଦେଶରେ ପାଖାପାଖି ୧୦୦୦ ଡାକ୍ତରଙ୍କ ମୃତ୍ୟୁର କାରଣ ସାଜିଛି।
ଚଳିତ ବର୍ଷ ବିହାରରେ ସର୍ବାଧିକ ୬୯ ଡାକ୍ତରଙ୍କ ଜୀବନ ଯାଇଛି। ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଡାକ୍ତରଙ୍କର କରୋନାରେ ଜୀବନ ଯାଇଛି। ଟିକାକରଣ ଆରମ୍ଭ ହେବା ୫ ମାସ ହେଲାଣି, ମାତ୍ର ୬୬ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଅନେକ ଡାକ୍ତର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି।