Advertisement

କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ ରାଫେଲୋ ସାଞ୍ଜିୟୋ ଦା ଉର୍ବିନୋ। ରାଫେଲ ନାମରେ ପରିଚିତ ଏହି ମହାନ୍‌ ଶିଳ୍ପୀ ୧୪୮୩ ଏପ୍ରିଲ ୬ରେ ଜନ୍ମ ଗ୍ରହଣ କରିଥିଲେ। ୧୫୨୦ ଏପ୍ରିଲ ୬ରେ ତାଙ୍କ ପରଲୋକ ହୋଇଥିଲା। ୩୭ ବର୍ଷୀୟ ରାଫେଲ ଶୀତରାତିରେ ତାଙ୍କ ପ୍ରେମିକାଙ୍କ ସହ ରାତିରେ ବୁଲୁଥିବାବେଳେ ଜ୍ୱର ହେବାରୁ ପ୍ରାଣ ହରାଇଥିବା ଅଧିକାଂଶ ବିଶ୍ୱାସ କରନ୍ତି। କିନ୍ତୁ ଏବେ ଏକ ନୂଆ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହି ମାଷ୍ଟର ଆର୍ଟିଷ୍ଟ ତଥା ଆର୍କିଟେକ୍ଟ ଯୌନ ସଂକ୍ରମଣଜନିତ ସିଫିଲିସ୍‌ ଯୋଗୁ ନୁହେଁ, ବରଂ କରୋନା ଭାଇରସ୍‌ ଭଳି ଏକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜିଦେଇଥିଲେ। ଇଣ୍ଟର୍ନାଲ ଆଣ୍ଡ ଏମର୍ଜେନ୍ସି ମେଡିସିନ ଜର୍ନାଲରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି।
ଏଜେନ୍ସେ ଫ୍ରାନ୍ସେ ପ୍ରେସେ (ଏଏଫ୍‌ପି)ରେ ଶନିବାର ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଡାକ୍ତରୀ ଐତିହାସିକ ମେିଶଲ ଅଗୁସ୍ତୋ ରିଭା ଉଲ୍ଲେଖ କରିଛନ୍ତି, ଆମେ ଯାହା ଜାଣିଛୁ ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇ ରାଫେଲଙ୍କ ମୃତ୍ୟୁ ଘଟିଥିଲା, ଯାହାକି କରୋନା ଭାଇରସ୍‌ ଭଳି ଏକ ସଂକ୍ରମଣ ବୋଲି ମନେହେଉଛି। ରିଭାଙ୍କ ସମେତ ୟୁନିଭର୍ସିଟି ଅଫ୍‌ ମିଲାନୋ-ବାଇକୋକାର ଅନ୍ୟ ୩ ଗବେଷକଙ୍କ ମତରେ କ୍ରମାଗତ ଉଚ୍ଚ ଜ୍ୱର ଯୋଗୁ ଏକ ପ୍ରଖର ରୋଗରେ ପୀଡ଼ିତ ହୋଇ ରାଫେଲଙ୍କ ଜୀବନ ଯାଇଥିଲା। ରାଫେଲ ରୋଗାକ୍ରାନ୍ତ ହେବା ପରେ ସେ ଶୀତରାତିରେ ବାହାରକୁ ଯାଇଥିବା ଓ ପ୍ରେମିକାଙ୍କ ସହ ସମୟ ବିତାଇଥିବା ସମ୍ପର୍କରେ ଡାକ୍ତରଙ୍କୁ ଜଣାଇ ନ ଥିଲେ। ଯୌନକ୍ରିୟା ଯୋଗୁ ନୁହେଁ, ଥଣ୍ଡା ପାଗରେ ତାଙ୍କୁ ଜ୍ୱର ଧରିଥିଲା। ଫଳରେ ଠିକ୍‌ ୫୦୦ ବର୍ଷ ତଳେ (୧୫୨୦ ମସିହାରେ) ମାତ୍ର ୩୭ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share