ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ଶୁକ୍ରବାର ମହାପ୍ରଭୁଙ୍କ ବେଶ ଓଲାଗି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ମରିଚିକୋଟ ଛକଠାରୁ ଜହ୍ନିମୁଣ୍ଡିଆ ଛକ, କାକୁଡ଼ିଖାଇ ଛକ, ଧାନକୁଟି ସାହି (ରଘୁନାଥ ଆଶ୍ରମ ନିକଟ) ଗାଣ୍ଡୁଆ ଚଉରା ଛକ, ଗଡ଼ନ୍ତି ଛକ ଓ ଦୋଳବେଦି କୋଣ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ। କେବଳ ନିର୍ଦ୍ଦିଷ୍ଟ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, ଜେଟିପିଙ୍କୁ ଏହି ଅଞ୍ଚଳରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ସମୟରେ ପତିତପାବନଙ୍କ ଦର୍ଶନ ମିଳିବ ନାହିଁ ବୋଲି ଜିଲାପାଳ ବଲୱନ୍ତ ସିଂ ସ୍ପଷ୍ଟ କରିଛନ୍ତି। ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ପତିତପାବନଙ୍କର ନାଗାର୍ଜୁନ ବେଶ କରାଯାଉ ନାହିଁ। ମନ୍ଦିର ଭିତରକୁ କୌଣସି ଅଣସେବକ ଯେପରି ପ୍ରବେଶ ନ କରିବେ ତାହା ଉପରେ କଡ଼ା ନଜର ରହିବ। କୌଣସି ସେବାୟତ ମୋବାଇଲ ଫୋନ ନେଇ ନ ଯିବାକୁ ଜିଲାପାଳ ଅନୁରୋଧ କରିବା ସହ ଯେପରି ନିଆରା ରଥଯାତ୍ରା କରି ପୁରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲା ସେହିପରି ସମସ୍ତେ ସହଯୋଗ କରିବା ପାଇଁ କହିଛନ୍ତି।