ଢେଙ୍କାନାଳ ଅଫିସ, ୧।୭ ପଡୁଥିବ ଆଲଟଚାମର। ଘଣ୍ଟଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବ ପରିବେଶ। ଭକ୍ତବତ୍ସଳ ନାମକୁ ସାର୍ଥକ କରିବା ପାଇଁ ଭାବବିନୋଦିଆ ମହାପ୍ରଭୁ ରତ୍ନବେଦିରୁ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ। ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କୁ ଧରି ଯାତ୍ରା କରିବେ ଜନ୍ମବେଦିକୁ। ଦୀର୍ଘ ଦୁଇବର୍ଷ ହେଲା ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିକଳ ହୋଇ ଚାହିଁ ରହିଥିବା ଭକ୍ତଙ୍କ ପୂର୍ଣ୍ଣ ହେବ ମନୋବାଞ୍ଝା। ଭକ୍ତ ଏବଂ ଭଗବାନଙ୍କ ଏହି ମହାମିଳନର ସାକ୍ଷୀ ରହିବେ ରଥ ଏବଂ ପଥ। ଏଭଳି ମହାର୍ଘ୍ୟ ମୁହୂର୍ତ୍ତକୁ ଆଉମାତ୍ର କେଇ ଘଣ୍ଟା ବାକିଥିବାବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କୋଳେଇ ନେବାକୁ ରଥଖଳାରେ ପ୍ରତୀକ୍ଷା କରିଛି ରଥ। ଶୁକ୍ରବାରଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷଯାତ୍ରା ଆରମ୍ଭ ହେଉଥିବାବେଳେ ୨ବର୍ଷ ହେଲା ଭକ୍ତ ଶୂନ୍ୟ ରହୁଥିବା ଢେଙ୍କାନାଳର ବଡ଼ଦାଣ୍ଡ ପୂର୍ଣ୍ଣ ହେବ। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।
କରୋନା କଟକଣା ପାଇଁ ଦୁଇବର୍ଷ ହେଲା ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଥିଲା ଘୋଷଯାତ୍ରା। ଚଳିତ ବର୍ଷ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ସରକାର ସାର୍ବଜନୀନ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଢେଙ୍କାନାଳର ଐତିହାସିକ ରଥଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବିପୁଳ ଉତ୍କଣ୍ଠା ପ୍ରକାଶ ପାଇଥିବାବେଳେ ରଥଗଡ଼ାରେ ଚତୁର୍ଦ୍ଧା ବିଗ୍ରହଙ୍କ ଅପେକ୍ଷାରେ ଅଛନ୍ତି ଦୁଇରଥ। ୪୨ ଫୁଟ ଉଚ୍ଚତା ତଥା ୧୨ ଚକ ବିଶିଷ୍ଟ ବଡ଼ରଥରେ ଏକାକୀ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ। କାରଣ ପାଷାଣ ବିଗ୍ରହ ହୋଇଥିବାରୁ ଶ୍ରୀବଳରାମ ଗୁଣ୍ଡିଚାଯାତ୍ରାରେ ସାମିଲ ହେବା ପରମ୍ପରା ନାହିଁ। ଅନ୍ୟପଟେ ୩୪ ଫୁଟ ଉଚ୍ଚ ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହ ବିରାଜମାନ କରିବେ। ୧୦୦ ବର୍ଷରୁ ଅଧିକ ପୁରୁଣା ଢେଙ୍କାନାଳର ରଥଯାତ୍ରାରେ ଯୋଡ଼ି ହୋଇଛି ନୂଆ ପରମ୍ପରା। ୧୯୯୮-୯୯ରୁ ସାନରଥକୁ କେବଳ ମହିଳାମାନେ ଟାଣି ଆସୁଛନ୍ତି। ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଏବଂ ଏସ୍ପି ଏଲ୍. ଦିବ୍ୟା ଭି. ନିବେଦନ କରିଛନ୍ତି।