ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ଆଖିବୁଜିଲେ ଝିଅ, ପରିବାରର ୪ ଗୁରୁତର

ପାଟଣାଗଡ଼,୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ପଞ୍ଚାୟତ ଘୁନଘୁଟିପାଲି ଗ୍ରାମରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଘଟଣା ଅନୁଯାୟୀ, ଗତ ୨ ଦିନ ଲଗାଣ ବର୍ଷାରେ ଉକ୍ତ ଗ୍ରାମର ଶୋଭାବନ ବାରଲେଣ୍ଡିଆଙ୍କ ଘର କାନ୍ଥ ଭୋର ସମୟରେ ପଡିଯାଇଥିଲା। ଗ୍ରାମବାସୀ ଏହା ଜାଣିବା ପରେ ସଙ୍ଗେସଙ୍ଗେ ସେମାନଙ୍କୁ ମାଟି କାଢି ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ଝିଅ ଦୀପା (୧୯)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ସତ୍ୟଭାମା (୪୫), ପୁଅ ଦୀପକ (୧୫) ଏବଂ ଦିର୍ଜ୍ୟୁ (୧୦)ଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାକୁ ନିଆଯାଇଥିଲା। ଖବର ପାଇ ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନ ପହଞ୍ଚି ସେମାନଙ୍କ ଅବସ୍ଥା ସମ୍ପର୍କରେ ବୁଝିଥିଲେ ଏବଂ ସମସ୍ତ ସରକାରୀ ସାହାଯ୍ୟ ଦେବାକୁ କହିଥିଲେ। ପରେ  ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣାସ୍ଥଳକୁ ପାଟଣାଗଡ଼ ତହସିଲଦାର ଡ.ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ଥାନାଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପହଞ୍ଚି ଭାଙ୍ଗି ଯାଇଥିବା ଘର ଦେଖିବା ସହ କ୍ଷତିପୂରଣ ପାଇଁ ଆକଳନ କରି ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରଛନ୍ତି।

Share