କାନ୍ଥପଡ଼ି ନାବାଳକଙ୍କ ଜୀବନ ଗଲା

ମୋରଡ଼ା,୬ା୭(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହି ୧୨ ନଂ ଓ୍ବାର୍ଡର ଯମୁନା ମାର୍ଣ୍ଡିଙ୍କ ଘର କାର୍ଯ୍ୟ ଚାଲିଥିଲା। କିନ୍ତୁ ବର୍ଷାରେ ଘର କାର୍ଯ୍ୟ ବନ୍ଦ ହୋଇପଡ଼ିଥିଲା। ତେବେ ଝିପିଝିପି ବର୍ଷା ଯୋଗୁ ଯମୁନାଙ୍କ ପଡ଼ୋଶୀ ମାଇସା ମାର୍ଣ୍ଡିଙ୍କ ଚଉଦ ବର୍ଷର ସାନପୁଅ ଭୁଜୁ ମାର୍ଣ୍ଡି ଖେଳୁଥିବା ସମୟରେ ହଠାତ ଯମୁନାଙ୍କ ଉକ୍ତ ମାଟି ଘର କାନ୍ଥ ପଡ଼ିଯିବାରୁ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ତେବେ ଗ୍ରାମବାସୀ ସଙ୍ଗେ ସଙ୍ଗେ ଭୁଜୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ତାଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ ଭୁଜୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଭୁଜୁଙ୍କ ସମ୍ପର୍କୀୟ କାକା ବାଜାଲ ସୋରେନ, ଧାନ ମାର୍ଣ୍ଡି ଏବଂ ଗ୍ରାମବାସୀ ଭୁଜୁଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

Share