କାନ୍ଥ ପଡ଼ି ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୨୯ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳ ପକା ପଞ୍ଚାୟତ କେନ୍ଦୁଯୋଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଘର ମାଟି କାନ୍ଥ ପଡ଼ି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମାନ ସିଂ ମାଝି ଓରଫ ହାଁସଦା।

ପୋଲିସର ସୂଚନାନୁଯାୟୀ, ମାନ ସିଂଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମାନସିଂ କାନ୍ଥକୁ ଆଉଜି ବସିଥିଲେ। ଲଗାଣ ବର୍ଷାରେ ବତୁରି ଥିବା ମାଟି କାନ୍ଥ ତାଙ୍କ ଉପରେ ଖସି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ପାଟଣା ଥାନାରେ ୨୭ା୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏଏସ୍‌ଆଇ ପଦ୍ମାବତୀ ବିଶ୍ୱାଳ କହିଛନ୍ତି। ପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share