ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର କାନ୍ଥ ଭୁଶୁଡ଼ିଲା

ପଟ୍ଟାମୁଣ୍ଡାଇ,୪ା୮(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୱାର୍ଡ ନଂ. ୮ରେର ନିର୍ମାଣାଧୀନ ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଟିଏ ପାର୍ଶ୍ୱ କାନ୍ଥ ଭୁଶୁଡି ପଡ଼ିଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ କାନ୍ଥଟି ଭୁଶୁଡି ପଡିଛି। ଏହି କାଯର୍‌ୟା ପଟ୍ଟାମୁଣ୍ଡାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବା ଜଣାପଡିଛି। ଏ ସମ୍ପର୍କରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରାସାଦ ଗିରିଙ୍କୁ ପଚାରିବାରୁ ଅଙ୍ଗନଓ୍ବାଡି କାନ୍ଥ ଭୁଶୁଡ଼ିବା ନେଇ କିଛି ଜାଣିନାହିଁ। ତେବେ ବୌଷୟିକ କମିଟି ଦ୍ୱାରା ଯାଞ୍ଚ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମ୍ପୃକ୍ତ କିନିଷ୍ଠ ଯନ୍ତ୍ରୀ କର୍ଣ୍ଣପାତ ନ କରି କାମ ଚାଲୁ ରଖୁଥିଲେ। ଡିପିସି ପର୍ଯ୍ୟନ୍ତ କାନ୍ଥ ଉଠି ସାରିଥିଲା। ଡିପିସି ପକାଯିବା ପୂର୍ବରୁ ଏହାର କାନ୍ଥ ହଠାତ ଭୁଶୁଡ଼ି ପଡ଼ିଛି। ଅଙ୍ଗନଓ୍ବାଡି ଗୃହ ନିର୍ମାଣରେ ଅନଭିଜ୍ଞ ଠିକାଦାରଙ୍କୁ କାମ ପ୍ରଦାନ ନ କରାଯିବା ଫଳରେ ଏଭଳି ଘଟିଲା ବୋଲି ଚର୍ଚ୍ଚା ହୋଉଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିର୍ମାଣାଧୀନ ଘରେ ୧୧ଟି ପିଲାର୍‌ ରହିଥିବା ବେଳେ ଲାଗିଥିବା ୧୨ ଏମ୍‌ଏମ୍‌ ରଡ୍‌ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ତେବେ ନିର୍ମାଣ ଚାଲିଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ର କାନ୍ଥ ଭୁଶୁଡ଼ି ପଡ଼ିବା ଘଟଣାର ଭିଜଲାନ୍ସ ତଦନ୍ତ କରାଯିବାକୁ ପୂର୍ବତନ କାଉନସିଲର ପ୍ରଭାତ କୁମାର ପଣ୍ଡା, ଯୁବ ନେତା ଦିବ୍ୟକାନ୍ତ ବିଶ୍ୱାଳ, ସ୍ମୃତିରଞ୍ଜନ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି।