ନନ୍ଦନକାନନର ନିର୍ମାଣାଧୀନ ପାଚେରି ଭୁଶୁଡ଼ିଲା

ବାରଙ୍ଗ,୧୬।୭ (ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହେଉଥିବା ମାଙ୍କଡ଼ ଏନକ୍ଲୋଜରର ନିର୍ମାଣାଧୀନ ପ୍ରାଚୀର ଶୁକ୍ରବାର ଭୁଶୁଡି ପଡିଛି। ବର୍ଷାରେ ପ୍ରାୟ ୫୦ଫୁଟରୁ ଅଧିକ ଲମ୍ବ ଓ ୨୦ଫୁଟ ଉଚ୍ଚର ଏହି ପ୍ରାଚୀର ଭାଙ୍ଗିଯିବା ପରେ ଏନକ୍ଲୋଜର ପାଇଁ ହେଉଥିବା ନବର୍ନିମିତ କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ୨୦୨୧-୨୨ରେ ସରକାରୀ ଅନୁଦାନରୁ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ମାଙ୍କଡ ଏନକ୍ଲୋଜର ନବନିର୍ମାଣ ପାଇଁ ନନ୍ଦନକାନନ ପକ୍ଷରୁ ଟେଣ୍ଡର ଡକାଯାଇଥିଲା। ନନ୍ଦନକାନନ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଜଣେ ସାମଗ୍ରୀ ଯୋଗାଇବା ସହ ଅନ୍ୟ ଜଣେ କାମକରିବା ପାଇଁ କର୍ମଚାରୀ ଯୋଗାଇବା ଉଦ୍ଦେଶ୍ୟରେ ଦୁଇଭାଗରେ ଟେଣ୍ଡର ଡକାଇଯାଇଥିଲା। ବଜାର ମୂଲ୍ୟଠାରୁ କମ୍‌ ଥିବା ଜଣେ ବ୍ୟକ୍ତିଙ୍କୁ ଏହି ଟେଣ୍ଡର ଦିଆଯାଇ ୩୧ମାର୍ଚ୍ଚ ୨୦୨୨ ସୁଦ୍ଧା କାର୍ଯ୍ୟ ସାରିବାକୁ କୁହାଯାଇଥିଲା। କିନ୍ତୁ ବିନା ଟେଣ୍ଡରରେ ସାଢେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜନ୍ତୁ ବିଭାଗ ପକ୍ଷରୁ ପୁରୁଣା ମାଙ୍କଡ ଏନକ୍ଲୋଜର ଭାଙ୍ଗିବା କାମ କରାଯାଇଥିଲା। ଏହାଭିତରେ ଜୁଲାଇ ୧୫ତାରିଖ ହୋଇଯାଇଥିଲେ ମଧ୍ୟ ଅଧା କାମ ହୋଇ ନାହିଁ।
ଏବେ କିଛିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବାବେଳେ ମାଙ୍କଡ ଏନ୍‌କ୍ଲୋଜର ପାଇଁ ତିଆରି ହେଉଥିବା ମୋଟ ଅଞ୍ଚଳରେ ହୋଇଥିବା ପ୍ରାଚୀର ମଧ୍ୟରୁ ୫୦ଫୁଟରୁ ଅଧିକ ପ୍ରାଚୀର ଭାଙ୍ଗିଯାଇଛି। କାମ ସରି ନ ଥିବାବେଳେ ପ୍ରାଚୀର ଭାଙ୍ଗିବା ଘଟଣା ହେଉଥିବା କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ନିମ୍ନମାନର ସିମେଣ୍ଟ, ଇଟା ନା ଏହାକୁ କରୁଥିବା କର୍ମଚାରୀଙ୍କର ଭୁଲ ତାହାକୁ ନେଇ ଏବେ ଚର୍ଚ୍ଚା ଧରିଛି। ତେବେ ଭାଙ୍ଗିଯାଇଥିବା ପ୍ରାଚୀରକୁ ଆଉଥରେ ଠିକାଦାର ନିର୍ମାଣ କରିବେ ବୋଲି ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି ।

Share