Advertisement

କାନ୍ଥ ଫାଟିଲାଣି, ଅସରାଏ ବର୍ଷା ହେଲେ ଗଳୁଛି ପାଣି

ନନ୍ଦପୁର,୧ା୪(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ବ୍ଲକ ଅଞ୍ଚଳର ପଞ୍ଚାୟତବାସୀଙ୍କୁ ରାଜସ୍ବ ସେବା ଯୋଗାଇବାକୁ ନିର୍ମିତ ପାଡୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣରେ ସୁନାବେଡା ଆରଡି ବିଭାଗ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ବ୍ୟୟ ଅଟକଳ ଓ ମାନରେ ବ୍ୟତିକ୍ରମ କରି ନିର୍ମାଣ କାର୍ଯ୍ୟ କରିଥିବାରୁ ଉକ୍ତ କାର୍ଯ୍ୟାଳୟ ବର୍ତ୍ତମାନ ବାସୋପଯୋଗୀ ନ ହୋଇ କେତେକଙ୍କ ଆଡ୍ଡାସ୍ଥଳି ପାଲଟିଥିବା ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ କହିଛନ୍ତି। ଅସରାଏ ବର୍ଷା ହେବା ମାତ୍ରେ ଉକ୍ତ ଗୃହ ଛାତରୁ ପାଣି ଗଳୁଛି। ଓଦା କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟର ଖସୁଛି। କବାଟ ଝରକାର ସ୍ଥିତି ଦୁର୍ବଳ ରହିଛି। ନିର୍ମାଣ ଅଟକଳରେ ଥିବା ସୁରକ୍ଷା ପାଚେରି ଓ ଫାଟକ ନିର୍ମାଣ, ପାଣି ବ୍ୟବସ୍ଥା, ବିଦ୍ୟୁତ୍‌ ସଂଯୋଗ ନ କରି ୨୦୧୮/୧୯ର କାର୍ଯ୍ୟକୁ ୨୦୨୩ରେ ତରବରିଆ ଭାବେ ସାରି ଗୃହ ହସ୍ତାନ୍ତର କରାଯାଇଛି। ୫୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା କୁହାଯାଉଥିବା ବେଳେ ଏହା ଏବେ ସୁଦ୍ଧା ବ୍ୟବହାର ଉପଯୋଗୀ ହୋଇପାରିନାହିଁ। ଏବେ ରାଜସ୍ବ ଆଦାୟ ସମୟ ଚାଲିଥିଲେ ମଧ୍ୟ ସେଠାରେ କର୍ମଚାରୀ ରହିପାରୁ ନ ଥିବାରୁ ଅସୁବିଧା ସୃଷ୍ଟି ହେଉଛି। ଅନ୍ଧାର ଓ ନିରୋଳା ସ୍ଥାନ ଦେଖି ସନ୍ଧ୍ୟା ହେଲେ ସେଠାରେ ଅସାମାଜିକ ତତ୍ତ୍ୱଙ୍କ ଭିଡ ଜମୁଛି। ଏ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥା ସୁନାବେଡା ଆରଡି ବିଭାଗକୁ ତହସିଲଦାର ସାହୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗୃହର ଏଭଳି ଦୁରବସ୍ଥା ଯୋଗୁ ରାଜସ୍ବ ଲୋକଙ୍କୁ ଠିକ୍‌ ସମୟରେ ବିଭାଗୀୟ ସେବା ପ୍ରଦାନରେ ବାଧକ ହେଉଛି ବୋଲି ନିରୀକ୍ଷକ କୈଳାସ ମାଝି କହିଛନ୍ତି। ଏଥିଯୋଗୁ ଆର୍ଥିକ ବର୍ଷର ଶେଷ ସମୟରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହେଉ ନ ଥିବା ସେ କହିଛନ୍ତି। ଅଭିଯୋଗ ସମ୍ପର୍କରେ ସୁନାବେଡା ଆରଡି ସହକାରୀ ଯନ୍ତ୍ରୀ ସୁଜାତା ଦିସାରିଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ପ୍ରକଳ୍ପ ନିର୍ମାଣ ଓ ହସ୍ତାନ୍ତର ତାଙ୍କ ସମୟରେ ହୋଇନି। ତେବେ ସେ ଉକ୍ତ କାର୍ଯ୍ୟର ଫାଇଲ ଦେଖି ସବିଶେଷ ଯାଞ୍ଚ କରିବେ। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କ ସହ ଆଲୋଚନା କରି ଦୁରବସ୍ଥା ଦୂର କରିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel