ଯୁଦ୍ଧୋନ୍ମାଦ ଆନନ୍ଦ ଆଣେନା

ମୀରା ବେଉରା

ସବୁ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ ଗୋଟିଏ ପ୍ରଶ୍ନ ନିଇତି ମୋତେ ଆନ୍ଦୋଳିତ କରୁଛି। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଥାଇ ମଧ୍ୟ ଆଧୁନିକ ମଣିଷ କାହିଁକି ଅସହାୟ ହୋଇପଡ଼ିଛି। ଆମତ୍ୀୟସ୍ବଜନଙ୍କ ପାଖରେ ଥାଇ ମଧ୍ୟ କାହିଁକି ମୁହୂର୍ତ୍ତେ ହେଲେ ବି ହସିପାରୁନି। ଯେଉଁ ହସ କି ଏହି କରୋନା କାଳରେ ମହୌଷଧି ବୋଲି ଚିକିତ୍ସାବିତ୍‌ମାନେ କହୁଛନ୍ତି। ହେଲେ ସବୁ ହସ ଭିତରେ ଯେମିତି ଛଳନା ଲୁଚି ରହିଛି। ଏତେ ବଡ଼ ପୃଥିବୀରେ ଥାଇ ମଣିଷ ଶୂନ୍ୟତା ଉପଲବ୍ଧି କରୁଛି। ମଣିଷ ମଣିଷ ଭିତରେ ମାନସିକ ଦୂରତା ବଢ଼ିଯାଉଛି। ସବୁ ଭଦ୍ରାମିର ମୁଖା ଭିତରେ ଗୋଟିଏ ଅସଭ୍ୟ ଛଳନାପୂର୍ଣ୍ଣ ବ୍ୟବହାର ଲୁଚି ରହିଛି। ନିଜର ଅନ୍ତର୍ବିବେକକୁ ଧ୍ୱଂସ କରି ସମସ୍ତେ ଏକ କୃତ୍ରିମ ବ୍ୟବହାରରେ ସମସ୍ତଙ୍କୁ ଆପ୍ୟାୟିତ କରିବାରେ ବ୍ୟସ୍ତ ରହୁଛନ୍ତି। କେବଳ ଫେସବୁକ୍‌ର ଲାଇକ୍‌ କମେଣ୍ଟ ଭଳି ଅଯଥା ପ୍ରଶଂସା ଗୋଟାଇବାରେ ସଭିଏ ପାଗଳ ଏଠି।
ସହରର କଂକ୍ରିଟ୍‌ ଜଙ୍ଗଲ ଏବଂ କୋଳାହଳ ଲୋକଙ୍କ ଭିଡ଼ ଭିତରେ ବେଳେବେଳେ କାହିଁକି କେଜାଣି ଭାରି ଅସହାୟ ଓ ନିଃସଙ୍ଗ ଅନୁଭବ କରେ ଏ ମଣିଷ। ପୃଥିବୀରେ ସିଏ କେତେ ନିଃସଙ୍ଗ ତାହା ସେ ପ୍ରତିକ୍ଷଣେ ଅନୁଭବ କରେ। ଏତେ ପାଖାପାଖି, କୋଳାହଳ ଭିତରେ ଥାଇ ମଧ୍ୟ ବେଳେବେଳେ ମଣିଷ ସମସ୍ତଙ୍କଠାରୁ ଦୂରରେ ଯାଇଥାଏ। ମନେହୁଏ ଯେମିତି ସମସ୍ତଙ୍କ ଭିତରେ ଦୂରତା ବଢ଼ି ବଢ଼ି ଯାଉଛି। କେହି କାହାକୁ ବୁଝିବାକୁ ନାରାଜ। ସମସ୍ତେ ଯେମିତି ଏକ ମରୀଚିକା ଅର୍ଥାତ୍‌ କୃତ୍ରିମ ଖୁସି ପଛରେ ପ୍ରତିଯୋଗିତା ଭିତ୍ତିରେ ଥାଇ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି। ସବୁ ମଣିଷଙ୍କ ଭିତରେ କୃତ୍ରିମ ହସ, କୃତ୍ରିମ ବ୍ୟବହାର, ସବୁ ଯେମିତି ଛଳନାପୂର୍ଣ୍ଣ। ସମସ୍ତେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଆଗକୁ ଧାଇଁବାରେ ବ୍ୟସ୍ତ। କାହିଁକି ଏ କୃତ୍ରିମ ମୁଖାପିନ୍ଧି ସଭିଏ ଅଭିନୟ କରୁଛନ୍ତି। ବେଳେବେଳେ ମନରେ ପ୍ରଶ୍ନ ଆସେ ଏମିତି ଗୋଟିଏ ଯନ୍ତ୍ର ଥାଆନ୍ତା କି ଯେଉଁ ଯନ୍ତ୍ର ସାହାଯ୍ୟରେ ଛଳନାକୁ ଆଡ଼େଇ ଦେଇ ଆମେ ସମସ୍ତ ମନୁଷ୍ୟର ଅସଲ ରୂପକୁ ଦେଖିପାରନ୍ତେ।
ସମାଜରେ ଘଟୁଥିବା ନୂଆନୂଆ ଘଟଣା ସବୁ ନିଇତି ବିଶ୍ୱାସକୁ ଦୋହଲାଇଦିଏ। କାହାକୁ ଏଠି ଭରସା କରିବା ଏତେ ସହଜ ନୁହେଁ। ଆଜିର ଅସହାୟ ମନୁଷ୍ୟ ଏମିତି ଗୋଟିଏ ସମାଜରେ ବଞ୍ଚୁଛି ଯେଉଁଠି ସ୍ନେହ, ଶ୍ରଦ୍ଧା, ପ୍ରେମ, ମାନବିକତା, ସହନଶୀଳତା, ସବୁ ପଦ୍ମପତ୍ରରେ ଢଳଢଳ ହେଲାପରି ପ୍ରତୀୟମାନ ହେଉଛି। ଏଇଠି କେବଳ ଗୋଟିଏ କଥା ଅନୁଭବ ହେଉଛି ଯେ ଅହଙ୍କାର, କ୍ଷମତାଜନିତ ଔଦ୍ଧତ୍ୟର ରାକ୍ଷସ ମଣିଷ ଭିତରେ ଅଲକ୍ଷ୍ୟରେ ଚକାମାଡ଼ି ବସିଛି। ପୁଣି ଗୋଟିଏ ପ୍ରଶ୍ନ ମନରେ ଉଙ୍କି ମାରୁଛି କାହିଁକି ଏଠି ସମସ୍ତେ ସମସ୍ତଙ୍କୁ ଠକିବାରେ ବ୍ୟସ୍ତ। କାହିଁକି ଜଣେ ଜଣକୁ ଶିଡ଼ି କରି ତା’ ଉପର ଦେଇ ଉଚ୍ଚତମ ଶୃଙ୍ଗକୁ ଚଢ଼ିବାରେ ବ୍ୟଗ୍ର । କେହି ବି କାହାର ମନ ଗହନର ଚାବି ଖୋଲିବାକୁ ଚାହେଁନା। ସବୁ ଯେମିତି ଗୋଟେ ମିଛିମିଛିକା ସାଲିସ୍‌। ଏହା ବୋଧହୁଏ ବଞ୍ଚତ୍ବାର ଗୋଟିଏ କଳା। ଭିତରେ ଆମକୁ ଯେତେ କଷ୍ଟ, ଅପମାନ, ଦୁଃଖ, ଯନ୍ତ୍ରଣା ହେଲେ ବି ଉପରେ ଆମକୁ ହସିବାକୁ ପଡ଼େ। ସବୁଠୁ ଆଶ୍ଚର୍ଯ୍ୟର କଥା ଏଠି କେହି କାହାର ଦୁଃଖରେ ସାମିଲ ହୁଅନ୍ତି ନାହିଁ। ବରଂ ସମୟ ମିଳିଲେ ଜଣେ ଅପରର ଛିଦ୍ର ଖୋଜି ଅନ୍ୟକୁ ତଳେ ପକାଇ ଅପାର ଆନନ୍ଦ ପାଇ ପ୍ରତିଦ୍ୱନ୍ଦ୍ୱୀ କରି ଜିତିବା ପାଇଁ ପ୍ରୟାସ କରେ। ଅପରର ଛିଦ୍ର ତାକୁ ଆନନ୍ଦ ଦେଇଥାଏ। କେମିତି ଗୋଟାଏ ଅପ୍ରାକୃତିକ କୃତ୍ରିମ ଖୁସି ପାଇବା ପାଇଁ ସଭିଏ ପାଗଳ ଏଠି। କାହାର ଉଷୁମ ଲୁହରେ କାହାର କିଛି ଯାଏ ନାହିଁ କି ଆସେ ନାହିଁ। ସମସ୍ତେ ସମସ୍ତଙ୍କର ସର୍ବସ୍ବ ଲୁଟି ସୁଖ ଅନୁଭବ କରିବାରେ ବ୍ୟସ୍ତ।
ଦେଖାଯାଏ ମଣିଷ ଏଠି ଯେତିକି ସଫଳତାର ନିକଟବର୍ତ୍ତୀ ହୁଏ, ସେତିକି ସେତିକି ସମ୍ପର୍କୀୟ ଲୋକେ ତା’ଠାରୁ ଦୂରେଇ ଯାଆନ୍ତି। ଲୋକେ ତା’ର ଛିଦ୍ର ଗଣନ୍ତି, ସେ ଧୀରେ ଧୀରେ ବନ୍ଧୁତା ଶୂନ୍ୟ ହୋଇଯାଏ। ନିଜକୁ ଏକଚ୍ଛତ୍ରବାଦୀ ସମ୍ରାଟ କରିବାରେ ଅପାର ଆନନ୍ଦ ପାଇଥାନ୍ତି। ତା’ର ଏହି ଏକଚ୍ଛତ୍ରବାଦୀ ସାମ୍ରାଜ୍ୟରେ କିଏ କେତେ ଲୁହ ଢାଳେ ଏବଂ ଲହୁ ଢାଳେ ତା’ର ହିସାବ କେବେ ସମ୍ରାଟ ରଖେନା, କେବଳ ହିସାବ ରଖେ ଯୁଦ୍ଧରେ ଜୟଲାଭର। ଶତ୍ରୁର ପରାଜୟ ତା’ର ଏକାନ୍ତ କାମ୍ୟ। କଳେବଳେ କୌଶଳେ ଆଜିର ମଣିଷ ଚାହେଁ ଶତ୍ରୁର ରକ୍ତ, ଲୋତକଭରା ଚକ୍ଷୁ, ଭୟରେ କମ୍ପୁଥିବା ହୃଦୟ। ଏ ସବୁ ଦେଖିଲାପରେ ହିଁ ସେ ହୁଏ ଦିଗ୍‌ବିଜୟୀ ସମ୍ରାଟ। ସେହି ଦିଗ୍‌ବିଜୟୀ ସମ୍ରାଟ ଭୁଲିଯାଏ ଯେ ବିଜୟରେ ପ୍ରକୃତ ଖୁସି ନ ଥାଏ। ପ୍ରକୃତ ଖୁସି ଥାଏ ପରାଜୟରେ, ଅପରକୁ ଆନନ୍ଦ ଦେବାରେ, ଜୀବକୁ ଜୀବନଦାନରେ, ଜୀବନକୁ ଲୁଟିବାରେ ନୁହେଁ। ଯାହା ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଜୟଲାଭ ପରେ ବୁଝିପାରିଥିଲେ। ଆଜିର ମଣିଷ ବୁଝି ଅବୁଝା ହେଉଛି କାହିଁକି? ସେଦିନ କଳିଙ୍ଗ କନ୍ୟା କାରୁବାକିଙ୍କୁ ଯୁଦ୍ଧକ୍ଷେତ୍ରରେ ମୌର୍ଯ୍ୟ ସମ୍ରାଟ ଅଶୋକ ପ୍ରଶ୍ନ କରିଥିଲେ ଏ ତ ଯୁଦ୍ଧକ୍ଷେତ୍ର ସୁନ୍ଦରୀ- ଆପଣ ଏଠାରେ କ’ଣ ଖୋଜୁଛନ୍ତି? କାରୁବାକି ଉତ୍ତର ଦେଇଥିଲେ ମୁଁ ଜୀବନ ଖୋଜୁଛି ଜୀବନ। ଏ ତ ଯୁଦ୍ଧକ୍ଷେତ୍ର ଏଠି ଜୀବନ କିଭଳି ସମ୍ଭବ ବୋଲି ଅଶୋକ ପଚାରିଲେ । ପୁଣି କାରୁବାକି କହିଲେ, ହେ ସମ୍ରାଟ ଏହି ସଂସାରକୁ ଶ୍ମଶାନ କଲା କିଏ। ସେ ଦିନ ସମ୍ରାଟ ଅଶୋକ ଏହି ପ୍ରଶ୍ନରେ ଲଜ୍ଜିତ ହୋଇ ଯୁଦ୍ଧରେ ବିଜୟୀ ହୋଇ ମଧ୍ୟ ନିଜକୁ ଅସହାୟ ଏବଂ ପରାଜିତ ମନେକଲେ। ସେ ଦିନ ଅଶୋକ ବୁଝିପାରିଥିଲେ ଯେ ଯୁଦ୍ଧ ଅର୍ଥାତ୍‌ ଧ୍ୱଂସ, ଏହା କେବେ ମଣିଷକୁ ଆନନ୍ଦ କିମ୍ବା ଶାନ୍ତିର ବାର୍ତ୍ତା ଦେଇପାରେନା। ଏହାକୁ ଅନୁଭବ କରି କାରୁବାକିଙ୍କ ପାଦତଳେ ଖଣ୍ଡାଟିକୁ ଦୁଇଖଣ୍ଡ କରି ଥୋଇଦେଲେ ଅଶୋକ। ସେହିଦିନ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସେ ଦିନ ଅଶୋକ ବୁଝିପାରିଥିଲେ ଯେ ହିଂସା ପ୍ରଣୋଦିତ ତରବାରିର ବିଜୟ ପ୍ରକୃତ ବିଜୟ ନୁହେଁ। ମନୁଷ୍ୟର ହୃଦୟ ଜୟ ହିଁ ପ୍ରକୃତ ବିଜୟ। ଯଦି ମୌର୍ଯ୍ୟ ସମ୍ରାଟ ଏହି କଥା ପଦକ ବୁଝିପାରିଥିଲେ ଆଜିର ସଭ୍ୟ ମାନବ ଏହା ବୁଝିପାରୁନି କାହିଁକି? କାହାକୁ ଦୁଃଖ ଦେଇ ସୁଖ, ସମୃଦ୍ଧି, ଆନନ୍ଦ ଉପଲବ୍ଧି କରିହୁଏ ନାହିଁ। ଅପରକୁ ଆନନ୍ଦ ଦେଲେ ହିଁ ପ୍ରକୃତ ଆନନ୍ଦପ୍ରାପ୍ତ ହୋଇଥାଏ। କାହାକୁ ଅପମାନ ଦେଇ, ରକ୍ତପାତ କରି କ୍ଷଣିକ ଆନନ୍ଦ, ଖୁସି ହେବାର ସୌଭାଗ୍ୟ ପ୍ରାପ୍ତ ହୁଏ ସିନା ହେଲେ ଏହା ଚିରସ୍ଥାୟୀ ହୋଇପାରେ ନାହିଁ। ଅପରକୁ ଖୁସି, ଆନନ୍ଦ, ସୁଖ, ଛଳନାହୀନ ପ୍ରେମ, ଭଲ ପାଇବା ଦେଲେ ହିଁ ଆମେ ପ୍ରକୃତ ଆନନ୍ଦ ପାଇପାରିବା; ଯାହା ଆଜିର ମଣିଷ ବୁଝିବା ଆବଶ୍ୟକ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳ ସାହି, ତୁଳସୀପୁର, କଟକ
ମୋ:୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri