ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିଲେ ହେଁ କୌଳିକ ବୃତ୍ତି ଭାବରେ ଆପଣାଇନେଇଛନ୍ତି ଏହି ପାଣିଝରା କାମକୁ। ବର୍ଷକ ବାର ମାସରୁ ବର୍ଷା ୩ ମାସ ଛାଡିଦେଲେ ପାଣିଝରା ନିର୍ମାଣ ଏମାନଙ୍କ ଦୈନନ୍ଦିନ କାମ। ପରିବାରର ବରିଷ୍ଠ ସଦସ୍ୟ ମାନେ ଏହି କାମରେ ସହଯାଗ କରୁଥିଲା ବେଳେ ସକାଳ ୯ ବାଜିଲେ ଆବଶ୍ୟକ ସରଞ୍ଜାମ ଧରି ଆରମ୍ଭ ହୋଇଯାଏ କାମ। ବେଳ ଗଡୁଗଡୁ କାମ ସରିଯାଏ। ଦିନକ ମଧ୍ୟରେ ୩ରୁ ୪ ଗୋଟି ଝରା ନିର୍ମାଣ କରାଯାଇଥାଏ। ଏହି ବାଲି ସାହିରେ ଅଧାରୁ ଅଧିକ ପରିବାର ପାଣିଝରା କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଚାଷକାର୍ଯ୍ୟରେ ପାଣିଦେବା କାମରେ ଏହା ଖୁବ ଉପେଯାଗୀ ହୋଇଥାଏ। କାରିଗର ମାନେ ସ୍ଥାନୀୟ ସାପ୍ତାହିକ ହାଟ ଗୁଡିକରେ ଗୋଟିଏ ଝରାକୁ ୨୫୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଦୂର ଦୂରାନ୍ତରୁ ବେପାରୀ ମାନେ ଆସି ଏହାକୁ ମୁଲାଣିଆ ଦରରେ କିଣିନିଅନ୍ତି। ଏହି ପାଣିଝରା ପାଇଁ ତେଲଟିଣର ଆବଶ୍ୟକ ରହିଥିବା ବେଳେ ଝଳେଇ ପାଇଁ ସୀଷା, ରିପିଟ, ଏସିଡ, ନିଶାଦର ଓ ତମ୍ବାର ଆବଶ୍ୟକତା ପଡ଼ିଥାଏ। ଏନେଇ କାରିଗର ମନୋଜ ମୁଣ୍ଡାଙ୍କୁ ପଚାରିବାରୁ ୫ଟି ଟିଣରେ ୩ ଗୋଟି ଝରା ହେଉଥିବା ବେଳେ ଆବଶ୍ୟକ ସରଞ୍ଜାମର ଦରବୃଦ୍ଧି ଯୋଗୁ ଆଗଭଳି ଲାଭ ମିଳିପାରୁନାହଁି। ପୂର୍ବରୁ ଟିଣ ଗୋଟା ୧୦ରୁ ୧୫ ଟଙ୍କାରେ ମିଳୁଥିବା ବେଳେ ବର୍ତ୍ତମାନ ତାହା ୨ଗୁଣ ହେଲାଣି, ସେହିପରି ତମ୍ବାର ଦରବୃଦ୍ଧି ଆମର ଲାଭର ପ୍ରତିବନ୍ଧକ ସାଜିଛି। ପାଇକାର ବିକ୍ରି ପାଇଁ ଆମକୁ ଅନେକ କଷ୍ଟ କରିବାକୁ ପଡିଥାଏ। ମାତ୍ର ଏହା ଆମ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଥାଏ ବୋଲି ମତ ଦେଇଛନ୍ତି।

Share