ଢେଙ୍କାନାଳ ଅଫିସ୍, ୩୧।୩: ଢେଙ୍କାନାଳ ପୌରାଞ୍ଚଳର ୧୯ନଂ. ୱାର୍ଡ ଅଧୀନ ସିମିଳିଆ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସ୍କୁଲରେ ପଢୁଥିବା ୧୬୧ ଛାତ୍ରୀଛାତ୍ର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ବିଶୁଦ୍ଧ ପାଣି ଅଭାବରୁ ଆଗକୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି। ସମସ୍ୟା ସମାଧାନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସ୍କୁଲରେ ଏକ ବୋରଓ୍ବେଲ ଖନନ ପାଇଁ ଅନୁଗୋଳ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ପକ୍ଷରୁ ୨୦୨୧ ଜୁନ୍ ୨୧ରେ ଚିଠି ନଂ. ୩୯୭୫-ଡବ୍ଲ୍ୟୁଇରେ ସୂଚନା ଦିଆଯାଇଥିଲା। ଏଥିପାଇଁ ୧ଲକ୍ଷ ୨୨ହଜାର ୭୮୩ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବୋରଓ୍ବେଲ ଖନନ ଦିଗରେ କୌଣସି ପଦକ୍ଷେପ ନିଆଗଲନାହିଁ। ତେଣୁ ପ୍ରକଳ୍ପ ଅଟକି ରହିଛି। ଅପରପକ୍ଷେ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଏକମାତ୍ର ନଳକୂପରୁ ଗୋଳିଆ ପାଣି ବାହାରୁଛି, ଯାହା ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ। ଏହି ସମସ୍ୟା ସମ୍ପର୍କରେ ଗତ ୨୨ ତାରିଖରେ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ଦେହୁରୀ, ବିଦ୍ୟାଳୟ ପରିଚଳନା କମିଟି ସଭାପତି ବିଷ୍ଣୁ ଚରଣ ସାହୁ, ଅର୍ଜୁନ ସାହୁ, ଅତୁଲ୍ୟ ବେହେରା, ସରିତା ଦାସ ପ୍ରମୁଖ ଜିଲାପାଳଙ୍କୁ ଜଣାଇଥିଲେ। ଏଥିସହ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ପୌର ନିର୍ବାହୀ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗ ଏସ୍ଡିଓଙ୍କୁ ଅବଗତ କରାଇଥିଲେ। ତଥାପି କୌଣସି ପଦକ୍ଷେପ ନିଆଯାଉନାହିଁ। ସେହିପରି ୧୯ନଂ. ୱାର୍ଡ ଗୋପାଳ ସାହି, ଡ୍ରାଇଭର ସାହିରେ ମଧ୍ୟ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏ ନେଇ ବୁଧବାର ଏଏପି ଆବାହକ ପଙ୍କଜ ନାୟକ, ପୌରାଞ୍ଚଳ ସଭାପତି ପ୍ରଭାତ ବେହେରା ଜନସ୍ବାସ୍ଥ୍ୟ ବିଭାଗର ଏସ୍ଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଏସ୍ଡିଓ ପ୍ରତିଶ୍ରୁତି ଦେଇଥିବା ଆବାହକ ନାୟକ ସୂଚନା ଦେଇଛନ୍ତି ା