କେନ୍ଦ୍ରାପଡ଼ା ଅଫିସ, ୧୪ା୭: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଇଛି। କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ ଯାଉନାହିଁ। ଏ ନେଇ ସ୍ଥାନୀୟ ଅଧିବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ୨୦୧୩ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜଳ ପରୀକ୍ଷଣରେ ବିଷାକ୍ତ ପଦାର୍ଥ ଅତ୍ୟଧିକ ଥିବା ରିପୋର୍ଟକୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଅଧିବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି।
ଜଳ ସମ୍ପଦ ବିଭାଗ ଆକଳନ ଅନୁଯାୟୀ, ଗୋବରୀର ୧୩୮ କିଲୋମିଟର ଲମ୍ବର ଉଭୟ କୂଳରେ ୭,୬୧୬ ହେକ୍ଟର କ୍ଷେତ୍ରଫଳରେ ଜଳସେଚନ ହୋଇଥାଏ। ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମାଳିବସା, ତନ୍ତିଆପାଳ, ବେଣାକନ୍ଦା ଓ ବିଜୟନଗରଠାରେ କ୍ରିକ୍ ବନ୍ଧ ଯୋଜନା ପରେ ୪ ହଜାର ହେକ୍ଟର ଜମିରେ ଚାଷ ହୁଏ। ଏଠାରୁ ପାଣି ଆସି ରବି ଫସଲ ୩୨୦୦ ହେକ୍ଟର, ବାଦାମ ୬୦୦ ହେକ୍ଟର କ୍ଷେତରେ ଚାଷ ହୁଏ। ଜିଲାର ୮୦ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀ ଏହି ପାଣିକୁ ଉପଯୋଗ କରିଥାନ୍ତି। ସେହିପରି ଏହି ଉତ୍ସକୁ ୩୦ ହଜାର ହେକ୍ଟର ଜମିକୁ ଚାଷ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିନିଯୋଗ କରାଯାଏ ବୋଲି ବିଭାଗୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ସହରର ସେକ୍ ଅମଜାନ୍, ଫୋରଡ ଗଁାର ଟୁନା ସାହୁ, କଂସାରର ନୀଳମାଧବ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ଜିଲାରେ ଥିବା ୭ ନଦୀର ଜଳ ଜୀବନ ଜୀବିକାକୁ ସମୃଦ୍ଧ କରୁଛି। ଏଥିରେ ଗୋବରୀ ନଦୀର ଅବଦାନ ଅଧିକ। ୫ ଦଶନ୍ଧି ପୂର୍ବରୁ ସଡ଼କପଥ ସୁବିଧା ନ ଥିବାରୁ ଗୋବରୀର ଜଳପଥ ପଣ୍ୟଦ୍ରବ୍ୟ ବ୍ୟବସାୟରେ ମୁଖ୍ୟ ମାଧ୍ୟମ ଥିଲା। ସମୁଦ୍ରରୁ ଜମ୍ବୁ ଦେଇ ଗୋବରୀ ନଦୀରେ ମହାନଦୀ ଜଳପଥରେ କଟକ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ କାରବାର ସହ ଯାତାୟାତ ହେଉଥିଲା। ସ୍ବାଧୀନତା ପରବର୍ତ୍ତୀକାଳରେ ଏହାର ଉନ୍ନତୀକରଣ କରାଯାଇ ନଦୀଜଳକୁ ଚାଷରେ ବ୍ୟବହାର ହେଲା। ଏହା ବ୍ୟତୀତ ବିଭିନ୍ନ ପୁରାଣରୁ ମଧୁସାଗରର ଜନ୍ମ ସହ ଗୋବରୀ ନଦୀର କାହାଣୀ ଲୋକମୁଖରେ ପ୍ରଚଳିତ ଅଛି। ତେବେ ଏହି ନଦୀ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏଥିରେ ଭାରି ମାତ୍ରାରେ କାଡ୍ମିୟମ, କ୍ରେମିୟମ ଓ ପୋଟ୍ଟାସିୟମ ରହିଥିବା ପରୀକ୍ଷଣରୁ ଜଣାପଡିଛି। ଏହି ଜଳକୁ ବ୍ୟବହାର ଦ୍ୱାରା ଚର୍ମରୋଗ ସହ ଜଳବାହିତ ରୋଗ ଦେଖାଦେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହର ମଧ୍ୟରେ ଏହାର ଜଳପଥକୁ ସର୍ବାଧିକ ଜବରଦଖଲ କରାଯାଇଛି। ନିକଟରେ ଦୁଇଟି ସାଇଫନ ଦ୍ୱାରା ସହରର ଅଳିଆ ଆବର୍ଜନା ପାଣି ନଦୀକୁ ଛଡାଯାଇଛି। ସେହିପରି ନଦୀକୂଳବାସୀଙ୍କ ପାଇଖାନା ଦ୍ୱାର ନଦୀ ମଧ୍ୟକୁ ଅଛି। ଫଳରେ ନଦୀଜଳ ପ୍ରଦୂଷିତ ହେବା ସହ ଜବରଦଖଲକାରୀ ନଦୀପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ଉନ୍ନତୀକରଣ ନ ହେବାରୁ ନଦୀରେ ବିଲାତି ଦଳ ଭର୍ତ୍ତି ହୋଇଛି, ଯାହାପାଇଁ କ୍ଷେତକୁ ପାଣି ଯାଇ ପାରୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ଗୋବରୀର ଉନ୍ନତୀକରଣରେ ଜିଲାର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଏହାର ଉନ୍ନତୀକରଣ ପାଇଁ ୩ ବର୍ଷ ଧରି ଯୋଜନା ହୋଇଛି। ନଦୀର କେତେକ ଅଂଶରେ ପ୍ରକଳ୍ପ ଆରମ୍ଭ ହୋଇଛି। ଜବରଦଖଲ ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଯାଇଛି ବୋଲି ସେ କହିଛନ୍ତି।