Categories: ଜାତୀୟ

କମୁଛି ଯମୁନା ଜଳସ୍ତର, ଦିଲ୍ଲୀରେ ପୁଣି ବର୍ଷା

ନୂଆଦିଲ୍ଲୀ/ଗାଜିଆବାଦ,୧୬।୭: ଯମୁନା ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାବେଳେ ରାଜଧାନୀ ଦିଲ୍ଲୀରେ ଶନିବାର ପୁଣି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ମୁତାବକ ଆଗାମୀ ଦିନରେ ସହରରେ ବର୍ଷା ଲାଗିରହିବ। ଯମୁନା ଉଛୁଳିବା ଯୋଗୁ ଦିଲ୍ଲୀର ପ୍ରମୁଖ ସ୍ଥାନରେ ପ୍ରବେଶ କରିଥିବା ବନ୍ୟାଜଳ ନିଷ୍କାସନ ଲାଗି ବହୁତ ଦିନ ଲାଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯମୁନା ଜଳସ୍ତର ୨୦୮.୬୬ ମିଟର ଛୁଇଁଥିବାବେଳେ ଏବେ ତାହା ୨୦୬.୯୭ ମିଟରକୁ କମିଛି। ସହର ମଧ୍ୟରେ ବନ୍ୟାଜଳ ପଶିବା ଯୋଗୁ ରାସ୍ତାଘାଟ କ୍ଷୁଦ୍ର ନଦୀରେ ପରିଣତ ହୋଇଥିବାବେଳେ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌।
କେବଳ ଲୋକଙ୍କୁ ନୁହେଁ ଗୋରୁ, କୁକୁର ଆଦି ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି। ୪ ଦିନ ମଧ୍ୟରେ ପାଖାପାଖି ୬ ହଜାର ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଳ ନିଷ୍କସନ ଲାଗି ଆଇଟିଓ ବ୍ୟାରେଜର ଫାଟକ ଖୋଲାଯାଇଥିବାବେଳେ ଆଗାମୀ ଦିନରେ ଯମୁନା ବ୍ୟାରେଜ୍‌ର ୫ଟି ଗେଟ୍‌ ଖୋଲିବାର ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ୧,୩୯୦ ହେକ୍ଟର ଜମି ଜଳାର୍ଣ୍ଣବ ହୋଇଛି। ହରିୟାଣାର ହାଥନିକୁଣ୍ଡ ବ୍ୟାରେଜ ଫାଟକ ରବିବାରଠୁ ଗୁରୁବାର ପର୍ଯ୍ୟନ୍ତ ଖୋଲା ରହିବା ଯୋଗୁ ଦିଲ୍ଲୀ, ଗାଜିଆବାଦ ନୋଏଡାରେ ବନ୍ୟା ସୃଷ୍ଟି ହୋଇଛି।
ଓ୍ବାଜିଦ୍‌ପୁର ଗ୍ରାମରେ ବେଆଇନ ଭାବେ ନିର୍ମିତ ଏକ ଫାର୍ମ ହାଉସ୍‌ରେ ବନ୍ୟା ଯୋଗୁ ଫସିରହିଥିବା ମହିଳାଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଛି। ଦିଲ୍ଲୀରେ ବନ୍ୟାସ୍ଥିତିର କାରଣକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଏଏପି ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦିଲ୍ଲୀବାସୀଙ୍କ ବିରୋଧରେ ଭାଜପା ଶାସିତ ହରିୟାଣା ଓ କେନ୍ଦ୍ର ସରକାର ଷଡଯନ୍ତ୍ର କରିଥିବା ଏଏପି ଅଭିଯୋଗ ଆଣିଛି।

Share