ୱେବ୍‌ ଓ ୱେବ୍‌ ଆଖିରେ ସଚରାଚର

ଡ. ଗୌରୀଶଙ୍କର ସାହୁ

ଟେଲିଫୋନ୍‌ର ମଜା, ଶହେ କୋଶରୁ କଥା ହେଉଛି ଆଈ ସାଥିରେ ଅଜା“। ଓଡ଼ିଶାରେ ପ୍ରଳିତ ଏହି କଥା, ବୈଜ୍ଞାନିକ ଉଦ୍ଭାବନ କିପରି ସମ୍ପର୍କକୁ ନୂଆ ଦିଗ ଓ ଦିଗନ୍ତ ଦେଉଛି ତାହା ପ୍ରକାଶିତ କରୁଛି।
ମଣିଷ ଏକ ସଂସ୍କୃତିସମ୍ପନ୍ନ ସାମାଜିକ ପ୍ରାଣୀ। ଧନଧାନ୍ୟ, ମାନସମ୍ମାନରେ ତା’ର ଯେତିକି ଲୋଭ, ଗୋପଲକ୍ଷ୍ମୀ, ବନ୍ଧୁ ପରିଜନରେ ତା’ର ସେତିକି ଆଦର। ବିଜ୍ଞାନ ତା’ର ବନ୍ଧୁ ପରିଜନର ସଂଜ୍ଞା ବ୍ୟାପକ କରିଛି। ଫେସ୍‌ବୁକ୍‌, ଟୁଇଟର ପ୍ରଭୃତି ଆଗମନ ପରେ ଖଟିର ସ୍ବରୂପ ବଦଳି ଯାଇଛି। ସ୍ମାର୍ଟଫୋନ୍‌, ଇଣ୍ଟରନେଟ୍‌ ଆଜି ସମୟର ରାଜା। ପରଷି ଦେଉଛନ୍ତି ଖବର, ସମ୍ବେଦନା ନିଜ ରାଜଦଣ୍ଡର କୁହୁକରେ। ଶାସନ କରୁଛନ୍ତି ଆମ ମନ, ମସ୍ତିଷ୍କ ଓ ନିୟନ୍ତ୍ରିତ କରୁଛନ୍ତି ଆମ ଜୀବନଚର୍ଯ୍ୟା।
ଦୁନିଆସାରା ଲୋକଙ୍କ ମଧ୍ୟରେ ଏ ଯେଉଁ ସମ୍ପର୍କର ସେତୁ ସୃଷ୍ଟି ହୋଇପାରିଛି, ତା’ର ପ୍ରମୁଖ ବିନ୍ଧାଣୀ ‘ୱେବ୍‌’(ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ବା ୱାର୍ଲଡ୍‌ ୱାଇଡ୍‌ ୱେବ୍‌) କହିଲେ ଅତ୍ୟୁକ୍ତି ହେବନାହିଁ। ଇଣ୍ଟରନେଟ୍‌ ମାଧ୍ୟମରେ ତଥ୍ୟ ଅଧିଗ୍ରହଣ ଓ ପ୍ରସାରଣ ଏହି ‘ୱେବ୍‌’ ପାଇଁ ସମ୍ଭବ ହୋଇପାରିଛି। ଜଣେ ଇଂରେଜ ବୈଜ୍ଞାନିକ ସାର୍‌ ଟିମ୍‌ ବର୍ଣ୍ଣର୍ସ ଲି ଏହାର ଜନ୍ମଦାତା।
ୱେବ୍‌ର ଜନ୍ମଜାତକ ମଧ୍ୟ ବଡ଼ ବିଚିତ୍ର। କଣିକା ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ପାଇଁ ୧୯୫୪ରେ ସୁଇଜରଲାଣ୍ଡ୍‌ର ଜେନେଭାଠାରେ ପ୍ରତିଷ୍ଠିତ ବିଶ୍ୱର ସର୍ବବୃହତ ଓ ସର୍ବୋତ୍ତମ ଗବେଷଣା କେନ୍ଦ୍ର ‘ସର୍ଣ୍ଣ’। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍‌ କରିବା ପରେ ଟିମ୍‌ ବର୍ଣ୍ଣର୍ସ ଲି ‘ସର୍ଣ୍ଣ’ରେ ଯୋଗଦେଲେ। କାମ ସେଇ ଧରାବନ୍ଧା। ମନ କିନ୍ତୁ ସର୍ଜନାର ଷଠିଘର। ସେ ଲକ୍ଷ୍ୟକଲେ ବିଶ୍ୱର ବିଭିନ୍ନ ସ୍ଥାନରେ କାମ କରୁଥିବା ୧୦୦ଟି ଦେଶର ୧୭୦୦୦ ବୈଜ୍ଞାନିକ ‘ସର୍ଣ୍ଣ’ର କଣିକା ତ୍ୱରକର ତଥ୍ୟ ବ୍ୟବହାର ପାଇଁ ଇଚ୍ଛୁକ। ମାତ୍ର ଉପଯୁକ୍ତ ମାଧ୍ୟମର ଅଭାବ ପାଇଁ ସର୍ଣ୍ଣ କର୍ତ୍ତୃପକ୍ଷ ତାହା ତୁରନ୍ତ ଦେଶବିଦେଶକୁ ପଠାଇପାରୁ ନାହାନ୍ତି। ଏକ ପ୍ରଭାବୀ ଯୋଗାଯୋଗ ମାଧ୍ୟମ ଉଦ୍ଭାବନ ପାଇଁ ତାଙ୍କୁ ଅନୁମତି, ସମୟ ଓ ସଂସାଧନ ପ୍ରଦାନ କରିବା ପାଇଁ ଏକ ରିପୋର୍ଟ ମାଧ୍ୟମରେ ସେ ନିଜ ବସ୍‌ ମାଇକ୍‌ ସେଣ୍ଡାଲ୍‌ଙ୍କୁ ଅନୁରୋଧ କଲେ । ମାଇକ୍‌ ରିପୋର୍ଟଟିରେ ନିଜ ମନ୍ତବ୍ୟ ଲେଖିଲେ, ‘ଉତ୍ସାହଜନକ କିନ୍ତୁ ଅସ୍ପଷ୍ଟ’ ଓ ରିପୋର୍ଟଟି ଫେରାଇଦେଲେ। କିଛିମାସ ପରେ ସେପ୍ଟେମ୍ବର ୧୯୯୦ରେ ଯେତେବେଳେ କାମ ଟିକିଏ କମ୍‌ ଥିଲା, ମାଇକ୍‌, ଟିମ୍‌ଙ୍କୁ ରିପୋର୍ଟ ଉପରେ କାମ କରିବା ପାଇଁ ଅନୁମତି ଦେଲେ। କିନ୍ତୁ ସର୍ତ୍ତ ଏହା ‘ସର୍ଣ୍ଣ’ର ପ୍ରସ୍ତାବିତ ପ୍ରକଳ୍ପ ନୁହେଁ। ବର୍ଣ୍ଣର୍ସ ଲି ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ (ୱେବ୍‌)ବିକଶିତ କରି ୨୩ ଅଗଷ୍ଟ ୧୯୯୧ରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରିପାରିଲେ ଓ ଏହା ଆଜି ବିଶ୍ୱର ଅର୍ଦ୍ଧାଧିକ ଲୋକଙ୍କ ହାତପାହାନ୍ତାରେ।
ୱେବ୍‌ ଆଜି ‘ସୂଚନାଯୁଗ’ର କେନ୍ଦ୍ରବିନ୍ଦୁ ହୋଇପାରିଛି।
ବିଶ୍ୱର ଯେକୌଣସି ଉଦ୍ଭାବନ ଏତେ ଶୀଘ୍ର, ଏତେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । କାରଣ ସାର୍‌ ଟିମ୍‌ ବର୍ଣ୍ଣର୍ସ ଲି ଓ ତାଙ୍କ ନିଯୁକ୍ତିଦାତା ‘ସର୍ଣ୍ଣ’ ୧୯୯୩ ସାଲ୍‌ରେ ୱେବ୍‌ ପ୍ରୋଟୋକଲ୍‌ ଓ କୋଡ୍‌କୁ ରୟାଲଟି ମୁକ୍ତ କରିଛନ୍ତି ଓ ବ୍ୟବହାରକାରୀଙ୍କୁ ଏହାର ବ୍ୟବହାର କରିବା ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡୁନାହିଁ।
ୱେବ୍‌ କେବଳ ଯୋଗାଯୋଗକୁ ସୁଗମ କରିନାହିଁ, ବରଂ ଆର୍ଥିକ ଅନ୍ତଃନିବେଶ, ସାମାଜିକ ସଂସ୍କାର, ସାଂସ୍କୃତିକ ସଙ୍ଗମ, ରାଜନୈତିକ ନ୍ୟାୟ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କୃଷି ଓ କୃଷକର ସମସ୍ୟା, ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷାରେ ‘ୱେବ’ର ଭୂମିକା ଅନସ୍ବୀକାର୍ଯ୍ୟ। ସାମାଜିକ ଗଣମାଧ୍ୟମ ଦ୍ୱାରା ସମାଜର ଶେଷଲୋକର ସ୍ବର ଶାଣିତ ତଥା ସ୍ପଷ୍ଟ ହୋଇପାରିଛି ଓ ଶୋଷକ ଏହାର ଶବ୍ଦକୁ ଶୁଣିବା ପାଇଁ ବାଧ୍ୟ ହୋଇଛନ୍ତି।
ଇ-କମର୍ସ ଦେଶଗୁଡ଼ିକ ମଧ୍ୟରେ ଶ୍ରମର ସୁଷମ ବଣ୍ଟନ, ବ୍ୟାପାରରେ ମଧ୍ୟସ୍ଥଙ୍କ ସଂଖ୍ୟା ଓ ପ୍ରଭାବ ହ୍ରାସ କରିବା ସହିତ ବିତରଣକୁ ବ୍ୟାପକ ଓ ତ୍ୱରିତ କରିପାରିଛି ବୋଲି ସୁଇଜରଲାଣ୍ଡର ଗବେଷକ କ୍ରୋନ୍ସବ୍ରୁକ୍‌ ରବର୍ଟ ଲି ମତପୋଷଣ କରିଛନ୍ତି। ଯୋଗାଯୋଗ ମାନ ବୃଦ୍ଧିକରିବା ସହିତ ଉଚ୍ଚମାନର ସୂନା ଲାଭ, ସାମାଜିକ ଗଣମାଧ୍ୟମରେ ସମ୍ପର୍କ ଓ ସମ୍ବନ୍ଧ ସ୍ଥାପନ, ସ୍ବାସ୍ଥ୍ୟ ବିଷୟକ ତଥ୍ୟ ଅଧିଗ୍ରହଣରେ ପ୍ରଭାବଶାଳୀ ଭୂମିକା, କାର୍ଯ୍ୟକ୍ଷେତ୍ରରେ ନମନୀୟତା (ଉଦାହରଣ ୱାର୍କ ଫ୍ରମ୍‌ ହୋମ୍‌), ଚିତ୍ତବିନୋଦନ ଓ ଆମୋଦପ୍ରମୋଦର ନୂଆ ସମ୍ଭାବନା, ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ‘ୱେବ୍‌’ ଓ ସୂଚନାଯୁଗ।
ସମ୍ପ୍ରତି ଆଉ ଗୋଟିଏ ୱେବ୍‌ବ ବିଶ୍ୱରେ ଚହଳ ପକାଇଛି- ଜେମ୍ସ ୱେବ୍‌ବ ସ୍ପେସ୍‌ ଟେଲିସ୍କୋପ୍‌।
ଗତ ଜାନୁୟାରୀ ୨୦୨୨ରେ ପୃଥିବୀଠାରୁ ପ୍ରାୟ ୯ଲକ୍ଷ ମାଇଲ୍‌ ଦୂରରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ସ୍ଥାପିତ ୱେବ୍‌ବ ଦୂରବୀକ୍ଷଣଯନ୍ତ୍ର ବ୍ରହ୍ମାଣ୍ଡ ନିରୀକ୍ଷଣରେ ବୈପ୍ଳବିକ ପରିବର୍ତ୍ତନର ବାର୍ତ୍ତା ନେଇ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଥିଲା ‘ହବ୍‌ଲ ଟେଲିସ୍କୋପ୍‌’ ଯାହା ୨୦ ମେ ୧୯୯୦ଠାରୁ ବ୍ରହ୍ମାଣ୍ଡର କୋଣ ଅନୁକୋଣର ଦୃଶ୍ୟ ଆମକୁ ଦେଖାଇଆସୁଛି। ହବ୍‌ଲ୍‌ର ଦର୍ପଣର ବ୍ୟାସାର୍ଦ୍ଧ ୭ ଫୁଟ ହୋଇଥିବାବେଳେ ୱେବ୍‌ବର ୨୧ ଫୁଟ୍‌। ହବଲ୍‌ ଅତିବାଇଗଣି ଓ ଦୃଶ୍ୟମାନ ରଶ୍ମି ବିଶ୍ଳେଷଣ ପାଇଁ ସକ୍ଷମ ହୋଇଥିବାବେଳେ ୱେବ୍‌ ଦୃଶ୍ୟମାନ ଓ ଅବଲୋହିତ ରଶ୍ମି ବିଶ୍ଳେଷଣ କରି ଚିତ୍ର ଓ ଚରିତ୍ର ପ୍ରକାଶିତ କରିଥାଏ।
ମାତ୍ର କେଇମାସ ଭିତରେ ୱେବ୍‌ବ ଚହଳ ପକାଇଛି। ବୃହସ୍ପତିର ଉତ୍ତର ଓ ଦକ୍ଷିଣ ମେରୁରେ ସୌରଦ୍ୟୁତିର ସଂଘାତର ଚିତ୍ର ଉତ୍ତୋଳନ କରି, ସୌରଦ୍ୟୁତି କିପରି ପୃଥିବୀକୁ ପ୍ରଭାବିତ କରୁଛି, ତାହା ପ୍ରଦର୍ଶିତ କରିଛି ୱେବ୍‌ବ। ଆଗରୁ ସୌରଜଗତ ବାହାରେ ପୃଥିବୀ ପରି ଗ୍ରହ ଥିବାର ଆଶଙ୍କା ବ୍ୟକ୍ତ କରିଥିଲା ଚିଲିଠାରେ ଅବସ୍ଥାପିତ ସ୍ଫିଅର୍‌ ଦୂରବୀକ୍ଷଣଯନ୍ତ୍ର ୨୦୧୭ରେ।
ୱେବବ୍‌ ବୃହସ୍ପତିଠାରୁ ବାରଗୁଣ ବୃହଦାକାର, ଦୁଇଶହ ଲକ୍ଷ ବର୍ଷ ପୁରୁଣା ବହିଃଗ୍ରହ ଏଚ୍‌.ଆଇ.ପି. ୬୫୪୨୪ର ଅବଲୋହିତ ପ୍ରତିଛବି ଉତ୍ତୋଳନ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛି। କହିବା ବାହୁଲ୍ୟ ଏହି ବହିଃଗ୍ରହ ଆମଠାରୁ ୩୮୫ ଆଲୋକବର୍ଷ ଦୂରରେ ଅବସ୍ଥିତ। ନିକଟସ୍ଥ ନକ୍ଷତ୍ରର ଆଲୋକର ତୀବ୍ରତା ପାଇଁ ଏହା ହବଲକୁ ଦିଶୁ ନ ଥିଲା। ୱେବ୍‌ବ ସ୍ବୀୟ କରୋନାଗ୍ରାଫ୍‌ ଦ୍ୱାରା ନିକଟସ୍ଥ ନକ୍ଷତ୍ରରୁ ଆସୁଥିବା ଆଲୋକକୁ ନିରୋଧକରି ଗ୍ରହଟିରୁ ଆସୁଥିବା ଅବଲୋହିତ ରଶ୍ମି ଅଧିଗ୍ରହଣ ଓ ବିଶ୍ଳେଷଣ କରି ସୁନ୍ଦର ଛାୟାଚିତ୍ର ପ୍ରଦାନ କରିଛି ଆମ ଗ୍ରହର ବାସିନ୍ଦାମାନଙ୍କୁ।
ଗ୍ରହଟିର ରାସାୟନିକ ସରଞ୍ଚନା ମଧ୍ୟ ଅତିଶୀଘ୍ର ଜଣାପଡ଼ିବ। ୱେବ୍‌ବ, ଡବ୍ଲ୍ୟୁ ଆର୍‌. ୧୪୦ ନାମକ ନକ୍ଷତ୍ରର ଚତୁର୍ପାର୍ଶ୍ୱରେ ବିଚ୍ଛୁରିତ ବୃତ୍ତାକାର ପରିଦୃଶ୍ୟକୁ ପ୍ରତିଛବି ମାଧ୍ୟମରେ ପରିପ୍ରକାଶକରି ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି- ଏଗୁଡ଼ିକ କ’ଣ ଓ କାହିଁକି? ଆର୍ଯ୍ୟଭଟ୍ଟ, ଗାଲିଲିଓ, ପଠାଣିସାମନ୍ତ, ଏଡୱିନ୍‌ ହବଲ୍‌ ପ୍ରମୁଖ ଅନେକ ଯୁଗଦ୍ରଷ୍ଟା ପ୍ରତ୍ୟକ୍ଷ ଦେଖିବା ଦ୍ୱାରା ଯାହା ସବୁ କହିଥିଲେ, ୱେବ୍‌ବ ମାଧ୍ୟମରେ ପ୍ରତ୍ୟକ୍ଷ ଅନୁଭବ କରି ଆମ ସମୟର ଜ୍ୟୋତିର୍ବିଜ୍ଞନୀମାନେ ଆହୁରି ଅନେକ ଅଜଣା ତଥ୍ୟ ଦେବେ। ୱେବ୍‌ ଯେମିତିି ପାର୍ଥତ୍ବ ଦୁନିଆକୁ ହାତପାହାନ୍ତାକୁ ଆଣିପାରିଛି, ୱେବ୍‌ବ ସେମିତି ବ୍ରହ୍ମାଣ୍ଡକୁ ଦେଖାଇବ। ଅନୁସନ୍ଧାନ କାଳଜୟୀ ହେବ, ଅନୁଭୂତି ରୋମାଞ୍ଚକର ହେବ।
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ:୭୯୭୮୪୨୧୮୩୫