ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ନେଇ ଓ୍ବେବସାଇଟ୍‌ରେ ରହିବ ଦୁଇଟି ଫର୍ମାଟ୍‌ର ସୂଚନା

କଟକ,୨୮ା୬(କାର୍ତ୍ତିକ ସାହୁ): ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ରହିଥିବା ମୌଳିକ ସୁବିଧାଗୁଡ଼ିକ ସଂକ୍ରାନ୍ତରେ ଆମିକସ୍‌ କ୍ୟୁରିଙ୍କ ପକ୍ଷରୁ ପ୍ରସ୍ତୁତ ଫର୍ମାଟ୍‌କୁ ରାଜ୍ୟ ସରକାର ଗ୍ରହଣ କରିଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଆମିକସ୍‌ କ୍ୟୁରିଙ୍କ ପ୍ରଦତ୍ତ ଫର୍ମାଟ୍‌ ଆଧାରରେ ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ଦର୍ଶାଇ ରାଜ୍ୟ ସରକାର ଓ୍ବେବସାଇଟ୍‌ରେ ଅପଲୋଡ୍‌ କରିବେ। ଏହି କାର୍ଯ୍ୟ କରିବା ଲାଗି ୬ ସପ୍ତାହ ସମୟ ଦେବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଆବେଦନ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିବା ସହ ସମୟ ମଞ୍ଜୁର କରିଛନ୍ତି।
ପ୍ରକାଶ ଯେ, ହାଇକୋର୍ଟ ଲିଗାଲ ସର୍ଭିସ କମିଟି ପକ୍ଷରୁ ରୁଜୁ ମାମଲାରେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁଛି ନା ନାହିଁ ସେନେଇ ତଦାରଖ କରିବାକୁ ହାଇକୋର୍ଟ ଆମିକସ୍‌ କ୍ୟୁରି ଭାବେ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥଙ୍କୁ ନିଯୁକ୍ତି ଦେଇଥିଲେ। ଆମିକସ୍‌ କ୍ୟୁରି ରଥ ହାଇକୋର୍ଟଙ୍କୁ କେତେକ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବ ଅନୁସାରେ ଦୁଇଟି ଫର୍ମାଟ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ଫର୍ମାଟରେ ପ୍ରାଥମିକ ବିଦ୍ୟାଳୟରେ କ’ଣ ସବୁ ମୌଳିକ ସୁବିଧା ରହିଛି ସେ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ। ଦ୍ୱିତୀୟ ଫର୍ମାଟରେ ପ୍ରତ୍ୟେକ ବିଦ୍ୟାଳୟରେ କେତେ ପିଲା ଆଡ୍‌ମିଶନ କରୁଛନ୍ତି ଏବଂ କେତେ ପିଲା ଅଧାରୁ ପାଠପାଢ଼ା ଛାଡ଼ିଛନ୍ତି ସେନେଇ ସୂଚନା ରହିବ ବୋଲି ଦର୍ଶାଇଥିଲେ। ଏହି ଫର୍ମାଟ୍‌ଦ୍ୱୟକୁ ଆମିକସ୍‌ କ୍ୟୁରି ପ୍ରଦାନ କରିବା ପରେ ରାଜ୍ୟ ସରକାର ତାହାକୁ ଗ୍ରହଣ କରିଛନ୍ତି।

Share