ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ବିବାହ ବଜାର ଉପରେ ପ୍ରଭାବ ପକାଇଛି। ଫଳରେ କ୍ୟାଟରିଂ, ଟେଣ୍ଟ ହାଉସ, ବିବାହ ମଣ୍ଡପ, ନିମନ୍ତ୍ରଣପତ୍ର, ଫୁଲ ସାଜସଜ୍ଜା, ବ୍ୟାଣ୍ଡ ବାଜା ଭଳି ବିବାହ ସହ ଜଡିତ ଅନ୍ୟ କ୍ଷେତ୍ର କ୍ଷତି ସହିଛନ୍ତି। ବର୍ତ୍ତମାନ ବିବାହ ତରିକା ବଦଳିବାକୁ ଯାଉଛି। ତେବେ ଭାରତରେ ଓ୍ବେଡିଂର ଏକ ବଡ ବଜାର ରହିଥିବା ଜଣାପଡିଛି। କନ୍ସଲଟାନ୍ସିଂ କମ୍ପାନୀ କେପିଏମ୍ଜିର ଏକ ରିପୋର୍ଟ ମୁତାବକ, ଭାରତରେ ଓ୍ବେଡିଂ ବଜାର ପ୍ରାୟ ୩.୭୧ ଲକ୍ଷ କୋଟି ଟଙ୍କା ଛୁଇଁବ। ମହାମାରୀ ପୂର୍ବରୁ ଏହା ୨୫% ହାରରେ ଅଭିବୃଦ୍ଧି କରୁଥିଲା। ସେହିଭଳି ମାଟ୍ରିମୋନି ସାଇଟଗୁଡିକର ଆୟ ବଢିଥିବା ଜଣାପଡିଛି।
ଆୟ ୨୦% ବଢିଥିବା ମାଟ୍ରିମୋନି ଡଟ୍ କମ୍ ପକ୍ଷରୁ ସୂଚନା ରହିଛି। ବର୍ତ୍ତମାନ ଜୁମ୍ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ବିବାହ ପ୍ରସ୍ତାବ ଠିକ୍ ହେଉଥିବା ମଧ୍ୟ ନଜରକୁ ଆସିଛି। ବିଭିନ୍ନ କାର୍ଯ୍ୟକ୍ରମ ଭର୍ଚୁଆଲ ଭାବେ ଆୟୋଜନ କରିବାକୁ ଲୋକମାନେ ପସନ୍ଦ କରୁଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।