Categories: ଜାତୀୟ

ମେ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

କୋଲକୋତା,୧୪।୧: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଶେଷ ହେବାକୁ ଯାଉଛି। ଏ ନେଇ ସମସ୍ତ ରାଜନୈତିକ ଦଳ ଖୁବ ଜୋରରେ ପ୍ରସ୍ତୁତି ଜାରି ରଖିଛନ୍ତି। କିନ୍ତୁ ଛାତ୍ରୀଛାତ୍ରଙ୍କ ବୋର୍ଡ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମେ ପୂର୍ବରୁ ହୋଇପାରେ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା, ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାର ଆସନ୍ତା ସପ୍ତାହରେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଶେଷ ହେବାକୁ ଥିବା ୨ଟି ବିଧାନସଭା ର୍ନିବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବେ। ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ଦ୍ୱତୀୟ ଥର ପଶ୍ଚିମବଙ୍ଗ ଗସ୍ତରେ ଆସି ଏକ ବୈଠକରେ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ନିର୍ବାଚନ ପୂର୍ବରୁ ଉତ୍ତର ୨୪ପ୍ରାଙ୍ଗଣରେ ଦେଖାଯାଇଥିବା ହିଂସା ଉପରେ ସେ ଆଲୋଚନା କରିଥିଲେ। ମତଦାନ ସମୟରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଲେ ନୋଟିସ ଜାରି କରା ନ ଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆଇନ ଉଲ୍ଳଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କୁ କହିଛନ୍ତି। ମୁକ୍ତ ଏବଂ ନିରପେକ୍ଷ ର୍ନିବାଚନ ସୁନିଶ୍ଚିତ କରିବା ପାଇଁ ଆଇନ ଏବଂ ଶୃଙ୍ଖଳାକୁ କଡାକଡି ଭାବେ ବଜାୟ ରଖିବାକୁ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଉପସ୍ଥିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

 

Share