ଗହମ ଯୋଗାଣ ବନ୍ଦ, ଖାଉଟି ହନ୍ତସନ୍ତ

ଧର୍ମଶାଳା,୨୩ା୬(ବଟକୃଷ୍ଣ ପରିଡ଼ା): ଖାଦ୍ୟ ଯୋଗାଣ ଓ ଓଖାଉଟି କଲ୍ୟାଣ ପକ୍ଷରୁ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଖାଉଟିଙ୍କ ଇଚ୍ଛା ମୁତାବକ ପ୍ରଦାନ କରାଯାଉଥିଲା। ମାତ୍ର ଗତ ବର୍ଷ ଜୁଲାଇଠାରୁ ଗହମ ଯୋଗାଣ ବନ୍ଦ ହୋଇଥିବାରୁ ଏବେ ଅଟାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ହୋଇଛି। ଫଳରେ ଗରିବଶ୍ରେଣୀର ପରିବାର ଖୋଲା ବଜାରରୁ ଆବଶ୍ୟକ ମୁତାବକ ଅଟା ଖରିଦ କରି ଖାଇବା ସମ୍ଭବ ହେଉନାହିଁ। କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଗତ ଦିନରେ ଚାଉଳ ଓ ଗହମ କିଲୋପ୍ରତି ୨ ଟଙ୍କାରେ ଯୋଗାଇ ଦିଆଯାଉଥିଲା। ପରେ ରାଜ୍ୟ ସରକାର ଏହାକୁ କେଜିପ୍ରତି ୧ ଟଙ୍କାରେ ଯୋଗାଇଲେ। କେନ୍ଦ୍ର ସରକାର ଚଳିତ ବର୍ଷ ଜାନୁୟାରୀଠାରୁ ବିନା ମୂଲ୍ୟରେ ଖାଉଟିଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏ ଗହମ ପରିବର୍ତ୍ତେ ଚାଉଳ ଯୋଗାଇ ଦେଉଛନ୍ତି। ଫଳରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଧର୍ମଶାଳା ବ୍ଲକର ୪୫ ପଞ୍ଚାୟତରେ ୪୦,୨୨୨ ପରିବାରର ୧ ଲକ୍ଷ ୬୦ ହଜାର ୧୩ଜଣ ହିତାଧିକାରୀଙ୍କୁ ୮ ହଜାର ୬୫ କୁଇଣ୍ଟାଲ ସାମଗ୍ରୀ ଯୋଗଇ ଦିଆଯାଉଛି। ଏଥିମଧ୍ୟରୁ ୬୧୬୪ କୁଇଣ୍ଟାଲ ଚାଉଳ ଓ ୧୮୩୬ କୁଇଣ୍ଟାଲ ଗହମ ଦିଆଯାଉଥିଲା। ଗହମ ଦେବା ବନ୍ଦ ହେବା ପରେ ବଜାରରେ ଅଟାର ମୂଲ୍ୟ ହଠାତ ବୃଦ୍ଧି ପାଇ ଏବେ ଖୋଲାବଜାରରେ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ୪୦ ଭାଗ ଲୋକ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଏମାନେ ଭାତ ପରିବର୍ତ୍ତେ ରୁଟି ଖାଇଥାନ୍ତି। ତେଣୁ ଅଧିକ ମୂଲ୍ୟ ଦେଇ ଅଟା କିଣି ଖାଇବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି। କେତେକ ଖାଉଟି ଚାଉଳକୁ କିଲୋ ପ୍ରତି ୨୦ଟଙ୍କାରେ ବିକ୍ରି କରି ୩୫ରୁ ୪୦ ଟଙ୍କା ଦେଇ ଗହମ ଅଟା କିଣିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଖାଉଟିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗହମ ଯୋଗାଇ ଦେବାକୁ ଦାବି ହୋଇଛି।

Share