ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨ ଝିଅଙ୍କୁ ହତ୍ୟା କରାଯାଇଥିଲା। ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର(୩୦), ବଡ ଝିଅ ରାଧିକା(୫) ଓ ସାନ ଝିଅ ମୁସ୍କାନ(୩)ବୋଲି ଜଣାପଡ଼ିଥିଲା। ମୃତକଙ୍କ ସ୍ବାମୀ ନାରାୟଣ ଫେରାରଥିବା କୁହାଯାଇଥିବାବେଳେ ଦିଅର କଳାକାହ୍ନୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ହତ୍ୟାକାଣ୍ଡକୁ ନେଇ ଫେରାର ସ୍ବାମୀ ନାରାୟଣଙ୍କ ଉପରେ ପୋଲିସର ସନ୍ଦେହ ହେଉଥିଲା । ହେଲେ ଫେରାର କୁହାଯାଉଥିବା ସ୍ବାମୀ ନାରାୟଣଙ୍କ ମୃତଦେହ ଘର ନିକଟ କୂଅ ଭିତରେ ଭାସୁଥିବାର ଗୁରୁବାର ସକାଳେ ଦେଖିବାକୁ ମିଳିଛି । ଖବର ପାଇ ବ୍ରଜରାଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀ ନାରାୟଣ କୂଅକୁ ଡେଇଁ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟାକରି କୂଅ ଭିତରକୁ ଫିଙ୍ଗି ଦେଇଛି । ଏନେଇ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିଦେଇ ତଦନ୍ତ ଚଳାଇଛି।

Share