ଜେନେଭା/ନୂଆଦିଲ୍ଲୀ,୨୪।୯:ଜନସ୍ବାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ନକାରାମତ୍କ ପ୍ରଭାବ ନେଇ କିଛି ବର୍ଷ ଧରି ଚାଲିଥିବା ବୈଜ୍ଞାନିକ ଗବେଷଣାରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ୨୪ ଘଣ୍ଟା ଭିତରେ ୨୫ ମାଇକ୍ରୋଗ୍ରାମର ପିଏମ୍୨.୫ ସାନ୍ଦ୍ରତାକୁ ସୁରକ୍ଷିତ ବିବେଚନା କରାଯାଉଥିଲା। କିନ୍ତୁ ଏବେ ଏହି ସାନ୍ଦ୍ରତା ୧୫ ମାଇକ୍ରୋଗ୍ରାମ ଭିତରେ ସୀମିତ ରହିବା ଦରକାର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଲାଣି। ବୁଧବାର ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଜାରି କରାଯାଇଥିବା ବାୟୁ ଗୁଣବତ୍ତା ଗାଇଡ୍ଲାଇନ୍ରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏମ୍ପି୨.୫ର ତାତ୍ପର୍ଯ୍ୟ ହେଉଛି ୨.୫ ମାଇକ୍ରୋମିଟର (ମଣିଷ କେଶଠାରୁ ୧୦୦ ଗୁଣା ପତଳା)ରୁ କମ୍ ପରିଧିର ପାର୍ଟିକିଲ ମ୍ୟାଟରକୁ ବୁଝାଏ। ଇନ୍ଧନ ତୈଳ ଜଳିଲେ ଏବଂ ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି କଣିକା ସୃଷ୍ଟି ହୋଇଥାଏ। ପିଏମ୍୨.୫ ଏବଂ ପିଏମ୍୧୦କୁ ଶ୍ୱାସଜନିତ ରୋଗର ମୁଖ୍ୟ କାରକ ଭାବେ ଏଥିରେ ଦର୍ଶାଯାଇଛି। ଏହି ଗାଇଡ୍ଲାଇନ୍ ଅନୁସାରେ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳ ପ୍ରଦୂଷଣ କବଳରେ। ଏଥିରେ ସବୁଠୁ ବିପଜ୍ଜନକ କୁହାଯାଉଥିବା ପ୍ରଦୂଷଣର ୬ କାରକ ଏମ୍ପି୨.୫, ଏମ୍ପି୧୦, ଓଜୋନ୍, ନାଇଟ୍ରୋଜେନ୍, ଡାଇଅକ୍ସାଇଡ୍, ସଲ୍ଫର ଡାଇଅକ୍ସାଇଡ୍ ଓ କାର୍ବନ ମନୋକ୍ସାଇଡ୍ର ସ୍ତର ବାୟୁମଣ୍ଡଳରେ କେତେ ରହିଲେ ଚଳିବ ତାହା ଧାର୍ଯ୍ୟ କରାଯାଇଛି। ୨୦୦୫ରେ ନିର୍ଦ୍ଧାରିତ ମାତ୍ରାଠାରୁ ଏଥର ଏହାକୁ ହ୍ରାସ କରିବାକୁ କୁହାଯାଇଛି। କାରଣ ବାୟୁ ପ୍ରଦୂଷଣର ପ୍ରତ୍ୟକ୍ଷ କାରଣରୁ ବର୍ଷକୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ଡବ୍ଲ୍ୟୁଏଚ୍ଓର ନିଜସ୍ବ ଆକଳନରୁ ଜଣାପଡ଼ିଛି। ବିଶ୍ୱର ୯୦% ଜନସଂଖ୍ୟା ୨୦୦୫ର ପ୍ରଦୂଷଣ ମାନକ ପୂରଣ କରୁ ନ ଥିବା ଅଞ୍ଚଳରେ ବସବାସ କରନ୍ତି। ଦକ୍ଷିଣ ଏସିଆ ବିଶେଷକରି ଭାରତ ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ ଆସୁଛି। ଏଠାରେ ପ୍ରଦୂଷଣ ସ୍ତର ନିର୍ଦ୍ଧାରିତ ସ୍ତରଠାରୁ ବହୁଗୁଣ ଅଧିକ। ଉଦାହରଣ ଭାବେ ଦିଲ୍ଲୀକୁ ନିଆଯାଇପାରେ। ଗ୍ରୀନ୍ପିସ୍ ଅଧ୍ୟୟନ ଅନୁସାରେ ୨୦୨୦ରେ ଏମ୍ପି୨.୫ ସାନ୍ଦ୍ରତା ଥିଲା, ଯାହାକି ନିର୍ଦ୍ଧାରିତ ସ୍ତରଠାରୁ ୧୭ ଗୁଣ ଅଧିକ। ମୁମ୍ବାଇରେ ପ୍ରଦୂଷଣ ସ୍ତର ୮ ଗୁଣ ଅଧିକ ଥିବାବେଳେ କୋଲକାତାରେ ୯ ଓ ଚେନ୍ନାଇରେ ୫ ଗୁଣ ଅଧିକ ଥିଲା।