ବିଧବା ମହିଳାଙ୍କୁ ଗାଁରୁ ତଡିଦେଲେ

ଜୁନାଗଡ଼,୪।୩: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ତାଳପଦର ଗାଁରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜାତିର ଜଣେ ଯୁବକ ବିଧବା ମହିଳାଙ୍କୁ ଚାପୁଡ଼ା ମାରିବା ନେଇ ପଡାରେ ପ୍ରଜାକୋର୍ଟ କରି ମହିଳାଙ୍କୁ ରାତିରେ ଗାଁରୁ ତଡିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଯୋଗ୍ୟ, ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ପଞ୍ଚାୟତ ଅଧୀନ ଆଟିଗାଁ ଗ୍ରାମର ଜଣେ ମହିଳା ୧୫ ବର୍ଷ ତଳେ ଜୁନାଗଡ଼ ବ୍ଲକ ଦାସୀଗାଁ ପଞ୍ଚାୟତର ତାଲପଦର ଗ୍ରାମରେ ବିବାହ କରିଥିଲେ। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଜନ୍ମ ହେବା ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ବୁଧବାର ମଧ୍ୟାହ୍ନରେ ଜଣେ ଯୁବକ ମହିଳାଙ୍କୁ କୌଣସି କାରଣରୁ ଚାପୁଡ଼ା ମାରିଥିଲେ। ଅନ୍ୟ ଜାତିର ଯୁବକ ମହିଳାଙ୍କୁ ଚାପୁଡ଼ା ମାରିବା ନେଇ ପଡ଼ାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୁଧବାର ରାତିରେ ପଡାରେ ଏନେଇ ପ୍ରଜାକୋର୍ଟ ବସିଥିଲା । ପ୍ରଜାକୋର୍ଟରେ ଗାଁରୁ ମହିଳାଙ୍କୁ ତଡ଼ି ଦେବାକୁ ନିଷ୍ପତ୍ତି ହୋଇଥିଲା। ପରେ ମହିଳାଙ୍କ ବାପା ଓ ମା’ଙ୍କୁ ଡାକି ମହିଳାଙ୍କୁ ନେଇଯିବାକୁ ପଡ଼ାବାସୀ ନିର୍ଦ୍ଦେଶ ଦେଇଥିଲେ। ନିରୁପାୟ ହୋଇ ମା’ ବାପା ଝିଅ ଓ ୩ ଛୁଆଙ୍କୁ ଧରି ଆଟିଗାଁ ଆଣିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।

Share