ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ହେଲେ ପୁଷ୍ପା ରାଉତ (୪୦)। ଖବରପାଇ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତରଖାନାକୁ ପଠାଇଛି। ମୃତା ମହିଳାଙ୍କ ଭାଇ କୃଷ୍ଣଚନ୍ଦ୍ର ଗଉଡ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଆଇଆଇସି ଅଶୋକ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅଭିଯୋଗ ଅନୁସାରେ, ପୁଷ୍ପାଙ୍କୁ ତାଙ୍କ ଶାଶୁଘର ଲୋକେ ବହୁଦିନ ହେଲା ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାର ସକାଳେ ପୁଷ୍ପା ନିଜ ଜମିରେ ଧାନ ପହ୍ଲା ରୋଇ ମଧ୍ୟାହ୍ନରେ ଘରକୁ ଆସିବା ପରେ କୌଣସି କଥାକୁ ନେଇ ତାଙ୍କ ସ୍ବାମୀ ରମାକାନ୍ତଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରମାକାନ୍ତ ଘରେ ଥିବା ଏକ ଟାଙ୍ଗିଆରେ ପୁଷ୍ପାଙ୍କ ବେକରେ ଚୋଟ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Share