ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୧୯ା୫(ବ୍ୟୁରୋ):କରୋନା ମହାମାରୀ ବିପଦରେ ଘାଣ୍ଟି ହେଉଥିବା ଓଡ଼ିଶା ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି। ଆରବସାଗର ପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଛି। ଆସନ୍ତା ୨୦ କିମ୍ବା ୨୧ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାରେ ରୂପାନ୍ତରିତ ହୋଇପାରେ। ଆସନ୍ତା ୨୫ ତାରିଖରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ିଆସିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟାର ବେଗ ୯୦ରୁ ୧୧୦ କି.ମି. ରହିପାରେ। ଏହା ଜଗତ୍‌ସିଂହପୁର ଓ ବାଲେଶ୍ୱର ମଧ୍ୟଦେଇ ମେ’ ୨୬ରେ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦି ବାତ୍ୟା ଗତିପଥ ବଦଳାଏ, ତେବେ ତାହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ପହଞ୍ଚିପାରେ। ଏଥିଯୋଗୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୩ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ୨୨ ତାରିଖରେ ଲଘୁଚାପର ସ୍ଥିତି ଓ ବେଗ ସମ୍ପର୍କରେ ପୂର୍ବାନୁମାନ କରାଯାଇପାରିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି।
ଲଘୁଚାପ ଯଦି ବାତ୍ୟାରେ ପରିଣତ ହୁଏ, ତେବେ ତାହା ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ। ଅନ୍ୟପକ୍ଷରେ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକ୍‌ତାଏ ସ୍ଥଳଭାଗ ଅତିକ୍ରମ କରି ସାରିଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୦ ଏବଂ ୨୧ ତାରିଖରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ସୋନପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୧.୨, ସୁନ୍ଦରଗଡ଼ ୪୧, ତାଳଚେର ୪୦.୭, ଭବାନୀପାଟଣା ୪୦.୫, ଫୁଲବାଣୀ ୪୦.୪, ଟିଟିଲାଗଡ଼ ୪୦.୨, ମାଲକାନଗିରି ୪୦ ଏବଂ ବୌଦ୍ଧରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share