‘ୟାସ୍‌’ ଆସିବା ସମୟରେ କେଉଁଠି କେତେ ରହିବ ପବନର ବେଗ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ଏବେ ପାରାଦୀପଠାରୁ ୫୦୦ କିଲୋମିଟର ଦୂରରେ ଅଛି। ସୋମବାର ଏହା ବାତ୍ୟାର ରୂପ ନେବ। ମଙ୍ଗଳବାର ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ଏହା ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ପର୍ଯ୍ୟନ୍ତ ବହିବା ନେଇ ସୋମବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବାତ୍ୟା ଯୋଗୁ ଏବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୮୫ କିମି ଭିତରେ ରହିଛି। ଅପରାହ୍ନରୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦ ରୁ୫୦ କିମି ବେଗରେ ପବନ ବହିବ। ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ ଏବଂ ଏହା ଘଣ୍ଟା ପ୍ରତି ୮୦ କିମି ଛୁଇଁପାରେ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ହେବ। ଉପକୂଳ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୫ରୁ ୧୮୫ କିମି ହେବ। ଏହା ବାଲେଶ୍ୱର ଦେଇ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ଏଥିରେ ଅଧିକ ପ୍ରଭାବିତ ହେବ ସଂପୃକ୍ତ ୪ ଜିଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ। ଖୋର୍ଦ୍ଧା ଓ ପୁରୀ ଜିଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିମି ବେଗରେ ପବନ ହେବ। ସେହିଭଳି ଗଞ୍ଜାମ ଓ ଗଜପତି ଜିଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ।

Share