ଝରକା ଗ୍ରୀଲ୍‌ ତାଡ଼ି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩।୧୧: ବାଳଅପରାଧୀଙ୍କୁ ସୁଧାରିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ ଏବେ ବିବାଦ ଘେରକୁ ଚାଲିଆସିଛି। ରବିବାର ବିଳମ୍ବିତ ରାତିରେ ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ସୁଧାର ଗୃହରୁ ଖସି ପଳାଇଥିବା ସୂଚନା ମିଳିଛି। ଏ ନେଇ ଗୃହ ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରୁ ବ୍ରହ୍ମପୁରର ୨ ଜଣ, କୋରାପୁଟର ୨, ଗଜପତିର ଜଣେ ଓ ପୁରୀର ଜଣେ ଅନ୍ତେବାସୀ ରହିଛନ୍ତି।
ସୂଚନାଯୋଗ୍ୟ, ରବିବାର ରାତିରେ ଅନ୍ତେବାସୀମାନେ ଖାଇସାରି ୱାର୍ଡରେ ରହିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ୱାର୍ଡରେ ୬ଜଣ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ହେଡ୍‌ ୱାର୍ଡର ତୁରନ୍ତ ସୁଧାର ଗୃହ ଅଧୀକ୍ଷକଙ୍କୁ ଖବର କରିଥିଲେ। ଘଟଣାସ୍ଥଳକୁ ଯାଇ ଦେଖିବା ବେଳେ ସେହି ୱାର୍ଡରେ ରହୁଥିବା ୬ ଅନ୍ତେବାସୀ ସେଠାରୁ ଫେରାର ହୋଇଯାଇଥିଲେ। ସେହିପରି ୱାର୍ଡର ଝରକା ଗ୍ରିଲ୍‌ ତଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ଏଣୁ ଅନ୍ତେବାସୀମାନେ ଝରକା ଗ୍ରିଲ୍‌ ତାଡ଼ି ପାଚେରି ଡେଇଁ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି। ତୁରନ୍ତ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପ୍ରତ୍ୟେକ ଅନ୍ତେବାସୀଙ୍କ ଘର ଠିକଣା ନେଇ ତଦନ୍ତ ଜାରି ରଖିଛି। ସେହିପରି ଖବର ପାଇ ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିଭାସନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ବାଳସୁଧାର ଗୃହରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଗତବର୍ଷ ମେ ୧୯ରେ ୭ଅନ୍ତେବାସୀ ସୁଧାର ଗୃହରୁ ଚମ୍ପଟ ମାରିଥିଲେ। ତନ୍ମଧ୍ୟରୁ ୬ଜଣ ଧରାପଡ଼ିଥିଲେ। ଅନ୍ୟ ଜଣେ ବର୍ତ୍ତମାନ ସୁଦ୍ଧା ଧରାପଡ଼ି ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ମଧ୍ୟରେ ଜଣେ ହତ୍ୟା ମାମଲାରେ ଜଡ଼ିତ ଥିବା ବେଳେ ଅନ୍ୟ ୫ଜଣ ଚୋରି ମାମଲାରେ ବିଚାରାଧୀନ ଥିଲେ ବୋଲି ଅଧୀକ୍ଷକ ରାଓ କହିଛନ୍ତି। ଦକ୍ଷିଣ ଓଡ଼ିଶା ପାଇଁ ବ୍ରହ୍ମପୁରରେ ବାଳସୁଧାର ଗୃହ ରହିଛି। ଏଠାରେ ୧୨ ଜିଲା ବାଳଅପରାଧୀଙ୍କୁ ରଖାଯାଇଥାଏ। ଏଠାରେ ୧୧୬ ଅନ୍ତେବାସୀ ଥିଲେ।