କମିଲା ଶୀତ, ବଢ଼ିଲା କୁହୁଡ଼ି

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଥଣ୍ଡା ସାମାନ୍ୟ କମିଛି। ଏଥିସହ ରାତ୍ର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପ୍ରାୟ ସପ୍ତାହେ ଧରି ୧୦ରୁ ଊର୍ଦ୍ଧ୍ୱ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ବା ଏହା ତଳକୁ ରହିଥିବା ବେଳେ ଶନିବାର ରାତିରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ଥିବା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, କୋରାପୁଟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୬ ଡିଗ୍ରୀ ରହିଥିଲା। ସେହିପରି ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରି ୭.୪, କେନ୍ଦୁଝର ୮.୮, ସୁନ୍ଦରଗଡ଼ ୯, କିରେଇ ୯.୪, ଫୁଲବାଣୀ ୯.୫ ଓ ସିମିଳିଗୁଡ଼ାରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ର ତାପମାତ୍ରାରେ ବୃଦ୍ଧି ଘଟିଛି। ତିନିଦିନ ତଳେ ଏହି ଦୁଇ ସହରର ସର୍ବନିମ୍ନ ରାତ୍ର ତାପମାତ୍ରା ୧୨ ଡିଗ୍ରୀ ପାଖାପାଖି ଥିବା ବେଳେ ଶନିବାର ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୧ ଏବଂ ଭୁବନେଶ୍ୱରରେ ୧୬ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଶୀତ କମିଥିବାବେଳେ କୁହୁଡ଼ି ବଢ଼ିଯାଇଛି। ରବିବାର ଭୋର୍‌ରୁ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ରାଉରକେଲାରେ ଅତି ଘନ କୁହୁଡ଼ି, କୋରାପୁଟ, ନୟାଗଡ଼, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼ରେ ଘନ କୁହୁଡ଼ି ଏବଂ ଭବାନୀପାଟଣା, ସୁନ୍ଦରଗଡ଼, ସୋନପୁର ଓ କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ରାଉରକେଲାରେ ୪୦ ମିଟର ପରେ ଆଉ କିଛି ଦେଖାଯାଉ ନ ଥିଲା। ସେହିପରି କୋରାପୁଟରେ ୫୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନ ଥିବାବେଳେ ନୟାଗଡ଼ରେ ୬୦, ଫୁଲବାଣୀରେ ୭୦, ବଲାଙ୍ଗୀରରେ ୯୦, ଟିଟିଲାଗଡ଼ରେ ୧୦୦ ଓ ଭବାନୀପାଟଣାରେ ୨୦୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନ ଥିଲା ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବ। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ତେଣୁ ଏସବୁ ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share