ଶୀତ ଗାଏବ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ପାରଦ ଉପରମୁହଁା ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ରାତ୍ରିର ସର୍ବନିମ୍ନ ତାପମାତ୍ରା ତଳକୁ ଖସୁନାହିଁ। ଓଡ଼ିଶା ଉପକୂଳରେ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଆସନ୍ତା ୨୬ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟାନ୍ୟ ଭାଗରେ ପାଗ ଶୁଖିଲା ରହିବ। ଟ୍ରପ୍‌ଲାଇନ ଯୋଗୁ ଗତ ଦୁଇ ସପ୍ତାହ ହେବ ସର୍ବନିମ୍ନ ତାପମାତ୍ରା ଉପରମୁହଁା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ୨୦ରୁ ୨୮ ଡିଗ୍ରୀ ସେଲ୍‌ସିୟସ ରହିଛି।

Share