ଏସ୍‌ଆଇଙ୍କୁ କାମୁଡ଼ିିଦେଲେ ମହିଳା

ଭୁବନେଶ୍ୱର,୪।୮(ବ୍ୟୁରୋ):ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ମଙ୍ଗଳବାର ଏକ ଘଟଣାର ତଦନ୍ତ କରିବାକୁ ଯାଇଥିବା ମହିଳା ଏସ୍‌ଆଇ ପ୍ରିୟଦର୍ଶିନୀ ବେହେରାଙ୍କୁ ଜଣେ ଘର ମାଲିକାଣୀ ମାଡ଼ ମାରିବା ସହ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଛନ୍ତି। ଏସ୍‌ଆଇ ବେହେରା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅଭିଯୋଗକ୍ରମେ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯିବା ସହ ସମ୍ପୃକ୍ତ ଘର ମାଲିକାଣୀଙ୍କୁ ଥାନାରେ ଅଟକ ରଖାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ୱରରେ ଅଭିଯୁକ୍ତ ମହିଳାଙ୍କ ଘରେ ନୟାଗଡ଼ର ଜଣେ ଯୁବତୀ ବର୍ଷେ ହେଲା ଭଡ଼ାରେ ରହୁଛନ୍ତି। ତେବେ ହଠାତ ତାଙ୍କୁ ଘର ଛାଡ଼ିବାକୁ କହି ଘର ମାଲିକାଣୀ ଗାଳିଗୁଲଜ କରିଥିଲେ। ଏପରିକି ପାଣି ବନ୍ଦ କରି ଦେଇଥିଲେ। ଯୁବତୀ ଘର ଛାଡ଼ିିବାକୁ ରାଜି ହୋଇଥିଲେ ବି କିଛିଦିନ ସମୟ ମାଗିଥିଲେ। ମାତ୍ର ଘର ମାଲିକାଣୀ କିଛି ଶୁଣି ନ ଥିଲେ। ଏ ନେଇ ଯୁବତୀ ଜଣକ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ସାରେ ଏସ୍‌ଆଇ ବେହେରା ପଚରାଉଚରା କରିବା ପାଇଁ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଘରକୁ କ’ଣ ପାଇଁ ପୋଲିସ ଆସିଛି ବୋଲି ମହିଳା ଜଣକ କହିବା ସହ ଉତ୍‌କ୍ଷିପ୍ତ ହୋଇ ଏସ୍‌ଆଇ ବେହେରାଙ୍କ ଚୁଟି ଧରି ପିଟିବା ସହ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। ଏପରିକି ସେଠାରେ ଉପସ୍ଥିତ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଆକ୍ରମଣ କରିଥିଲେ।

Share