ଝିଅକୁ ଧରି ପୋଲାଣ୍ଡରୁ ଝାଡ଼ଖଣ୍ଡ ଆସିଲେ ମହିଳା

ରାଞ୍ଚି,୨୩।୭: ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଖେଳି ପାକିସ୍ତାନ ସୀମା ହାଇଦର ନିଜ ୪ ପିଲାଙ୍କୁ ନେଇ ଭାରତ ଅନୁପ୍ରବେଶ କରିବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏମିତି ଏକ ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ୪୯ ବର୍ଷୀୟା ବାର୍ବରା ପୋଲାକ ପ୍ରେମିକ ଶଦାବ ମଲିକଙ୍କ ପାଇଁ ପୋଲାଣ୍ଡ ଛାଡ଼ି ଏବେ ଝାଡ଼ଖଣ୍ଡରେ ପହଞ୍ଚତ୍ଛନ୍ତି। ତେବେ ବାର୍ବରା ବେଆଇନ୍‌ ଭାବେ ନୁହେଁ ବରଂ ଟୁରିଷ୍ଟ ଭିଜାରେ ଭାରତ ଆସିଛନ୍ତି, ଯାହାର ଅବଧି ୨୦୨୭ ପର୍ଯ୍ୟନ୍ତ ଅଛି। ଶଦାବଙ୍କୁ ବାହାହେବା ପରେ ବାର୍ବରାଙ୍କ ପ୍ରେମ ଏବେ ସଫଳ ହୋଇଥିବା କୁହାଯାଉଛି। ସେ ୬ବର୍ଷର ଝିଅ ଅନନ୍ୟା ଏବଂ ଶଦାବ ଏବେ ଝାଡ଼ଖଣ୍ଡର ବରତୁଆ ଗ୍ରାମରେ ରହୁଛନ୍ତି। ୨୦୨୧ରେ ବାର୍ବରା ଓ ଶଦାବ ଦୁହେଁ ଇନ୍‌ଷ୍ଟାଗ୍ରାମ ଜରିଆରେ ପରିଚିତ ହୋଇଥିଲେ। କିଛିଦିନର ଚାର୍ଟିଂ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଓ ପରେ ଏହା ପ୍ରେମର ରୂପ ନେଇଥିଲା। ବାର୍ବରା ଓ ଶଦାବ ହଜାରିବାଗ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ କୋର୍ଟରେ ବାହାହେବାକୁ ଯାଉଛନ୍ତି। ଏନେଇ ଗାଁ ସାରା ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଭାରତକୁ ପ୍ରଶଂସା କରିବା ସହ ହଜାରିବାଗରେ ରହିବା ତାଙ୍କୁ ପସନ୍ଦ ଆସୁଥିବା କହିଛନ୍ତି। ପୋଲାଣ୍ଡରେ ଚାକିରି ଛାଡ଼ି ବାର୍ବରା କେବଳ ଶଦାବଙ୍କ ପାଇଁ ଝାଡ଼ଖଣ୍ଡ ଆସିଥିବା କହିଛନ୍ତି। ଏଥିସହ ଶଦାବଙ୍କ ପରିବାର ତାଙ୍କୁ ଖୁବ୍‌ ଆଦର କରୁଥିବା ବାର୍ବରା କହିଛନ୍ତି। ଗତ କିଛି ବର୍ଷ ହେଲା ବାର୍ବରା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦେଇଥିବାବେଳେ ଝିଅ ସହ ଏକୁଟିଆ ରହୁଥିଲେ।
ସୀମା ହାଇଦରଙ୍କ ଭଳି ଗତବର୍ଷ ୧୯ ବର୍ଷୀୟା ଇକ୍‌ରା ଅନ୍‌ଲାଇନ୍‌ରେ ଲୁଡୋ ଖେଳି ବେଙ୍ଗାଲୁରୁରେ ଥିବା ପ୍ରେମିକଙ୍କ ପାଖକୁ ଚାଲିଆସିଥିଲେ। ବେଆଇନ ଭାବେ ଭାରତରେ ରହିବା ନେଇ ଇକ୍‌ରାଙ୍କୁ ପୋଲିସ ଗିରଫ କରିବା ପରେ ଗତ ଜାନୁୟାରୀରେ ତାଙ୍କୁ ପାକିସ୍ତାନ ପଠାଯାଇଛି।

Share