ଚାକିରି ଦେବେ କହି ଠକିଦେଲେ ମହିଳା

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଞ୍ଚଳର ୪ ଯୁବକ ଠକାମୀର ଶିକାର ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚାକିରି ଦେବା ନାଁରେ ବାରିପଦା ଅଞ୍ଚଳର ଜଣେ ମହିଳା ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଠକାମୀର ଶିକାର ହୋଇଥିବା ଯୁବକମାନେ ହେଲେ ବଣକାଟି ଗ୍ରାମର ମାନସିଂ ସୋରେନ, କାରାନ ମାଝୀ, ଦିନୁ ଟୁଡୁ ଓ ଦୁଖିଆ ମାଝୀ।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ମାନସିଂଙ୍କ ସମେତ ୪ଜଣଙ୍କୁ ଚାକିରି ଦେବାକୁ ମହିଳା ଜଣକ ଜରୁରୀ କାଗଜପତ୍ର ବାବଦରେ ପ୍ରତ୍ୟେକ ୬୦ହଜାର ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ସେପ୍ଟେମ୍ବର ମାସରେ ହାଟବାଦଡାଠାରେ ସାକ୍ଷାତ କରି ମୋଟ ୨ଲକ୍ଷ ୪୦ହଜାର ଟଙ୍କା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଯୁବକମାନେ ଚାକିରି ନ ପାଇ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ମହିଳା ଜଣକ ଫୋନ ଉଠାଉ ନ ଥିବାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ବାଦାମପାହାଡ ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।